ଚୌଦ୍ବାର (ଶିବବ୍ରତ ଦାସ): ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଚୌଦ୍ବାର ମହାବିଦ୍ୟାଳୟ ଏବେ ସମ୍ପୂର୍ଣ୍ଣ ଅଭାବ ଅନଟନ ମଧ୍ୟରେ ଗତି କରୁଛି। ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ, ଏହି କଲେଜର ବାସ୍ତବ ଚିତ୍ର ଯାହା ଶିକ୍ଷା ବିଭାଗର ଚରମ ଅବହେଳାକୁ ପଦାରେ ପକାଇଛି। ଦୀର୍ଘ ଦିନ ହେବ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ, ପଦାର୍ଥ ବିଜ୍ଞାନ ବିଭାଗରେ ଜଣେ ହେଲେ ବି ଅଧ୍ୟାପକ ନାହାନ୍ତି। ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ସମ୍ପୂର୍ଣ୍ଣ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି।କଲେଜରେ ପ୍ରଶାସନିକ ମୁଖ୍ୟ ବା ଅଧ୍ୟକ୍ଷ ନଥିବାରୁ ଶୃଙ୍ଖଳା ରକ୍ଷା ଓ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅପରପକ୍ଷରେ, ବିଜ୍ଞାନ ବିଭାଗର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ ‘ପଦାର୍ଥ ବିଜ୍ଞାନ’ରେ କୌଣସି ଶିକ୍ଷକ ନଥିବାରୁ କ୍ଲାସ ହୋଇପାରୁ ନାହିଁ। ପରୀକ୍ଷା ସମୟ ପାଖେଇ ଆସୁଥିଲେ ମଧ୍ୟ ସିଲାବସ ଶେଷ ହେବା ତ ଦୂରର କଥା, ପାଠପଢ଼ା ଆରମ୍ଭ ହିଁ ହୋଇପାରୁନି। ଏହାକୁ ନେଇ କଲେଜର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ନିଜ ଝାଳ ବୁହା ଅର୍ଥ ଖର୍ଚ୍ଚ କରି ପିଲାଙ୍କୁ କଲେଜ ପଠାଉଥିବା ଗରିବ ଅଭିଭାବକ ଏବେ ନିରୁପାୟ ହୋଇପଡ଼ିଛନ୍ତି।ଏହି ସଂକ୍ରାନ୍ତରେ ବାରମ୍ବାର ଦାବି ସତ୍ତ୍ବେ ଶିକ୍ଷା ବିଭାଗ କୌଣସି ଦୃଢ଼ ପଦକ୍ଷେପ ନେଉ ନାହିଁ। ବିଭାଗୀୟ କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ପରି ମନେହେଉଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଛାତ୍ର ସଂଗଠନ ପକ୍ଷରୁ ପ୍ରଶ୍ନ ଉଠିଛି ଯେ, ଚୌଦ୍ବାର ମହାବିଦ୍ୟାଳୟର ଏହି ଗୁରୁତର ସମସ୍ୟା କେବେ ଦୂର ହେବ? ଯଦି ତୁରନ୍ତ ସ୍ଥାୟୀ ଅଧ୍ୟକ୍ଷ ଏବଂ ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତ କରାନଯାଏ, ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ରାଜପଥକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।