
ଚୌଦ୍ବାର (ଶିବବ୍ରତ ଦାସ): ଟାଙ୍ଗୀ ଚୌଦ୍ବାର ବ୍ଲକ କାର୍ଯ୍ୟାଳୟ ପରିସରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକ ପରିସରରେ ଥିବା କୋର୍ଟ ସାମନାରେ ଦୀର୍ଘ ଦିନ ହେବ ନର୍ଦ୍ଦମା ଓ ଆବର୍ଜନା ପାଣି ଜମି ରହି ଏକ ପ୍ରକାର କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଏହା ଦ୍ବାରା କୋର୍ଟକୁ ଆସୁଥିବା ଶତାଧିକ ଜନସାଧାରଣ, ଆଇନଜୀବୀ ଏବଂ ବ୍ଲକ କର୍ମଚାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଜମି ରହିଥିବା ଏହି ନର୍ଦ୍ଦମା ପାଣିରୁ ଅସହ୍ୟ ଦୁର୍ଗନ୍ଧ ବାହାରୁଥିବାରୁ ସେଠାରେ ଠିଆ ହେବା ମଧ୍ୟ କଷ୍ଟକର ହୋଇପଡ଼ିଛି। ବର୍ତ୍ତମାନ ବର୍ଷା ଦିନ ଚାଲିଥିବାରୁ ଏହି ଦୂଷିତ ପାଣି ଯୋଗୁଁ ମଶା ଓ ମାଛିଙ୍କ ପ୍ରାଦୁର୍ଭାବ ଅହେତୁକ ଭାବେ ବୃଦ୍ଧି ପାଇଛି, ଯାହା ଫଳରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ସ୍ଥାନୀୟ ଲୋକେ ଏବଂ ଆଇନଜୀବୀମାନେ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ନୀରବ ସାଜିଛି।ସ୍ଵଚ୍ଛ ଭାରତ ଅଭିଯାନକୁ ନେଇ ସରକାର ବ୍ୟାପକ ସଚେତନତା ସୃଷ୍ଟି କରୁଥିବା ବେଳେ, ନିଜେ ସରକାରୀ ବ୍ଲକ ପ୍ରଶାସନର ନାକ ତଳେ ଏଭଳି ଅରାଜକତା ଦେଖିବାକୁ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପ୍ରଶାସନର ଏହି ଉଦାସୀନତା ବିରୁଦ୍ଧରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ଏହି ନର୍ଦ୍ଦମା ପାଣି ନିଷ୍କାସନ କରାଯାଇ ପରିମଳ ବ୍ୟବସ୍ଥାରେ ସୁଧାର ନଆଣିଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।