ଜୁଆ ଆଡ୍ଡା ଚଢାଉ ତିନି ଗିରଫ ଦୁଇ ବାଇକ୍‌ ଜବତ

କେ. ନୂଆଗାଁ ୧୩/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବିଜୟଲକ୍ଷ୍ମୀ ନାରାୟଣପୁର ଅଞ୍ଚଳ ନିକଟସ୍ତ କାଜୁ ବଗିଚାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୁଆ ଆଡ୍ଡା ରୁ ନଗଦ ୬୩,୧୭୦ ଟଙ୍କା, ଦୁଇ ପ୍ୟାକେଟ ତାସ୍‌, ଗୋଟିଏ ତାରପାଲିନ୍‌, ୪ଟି ମୋବାଇଲ୍‌ ଫୋନ୍‌ ଓ ଦୁଇଟି ମୋଟରସାଇକେଲ୍‌ ଜବତ ହୋଇଛି।ପୋଲିସ ସୂଚନା ଅନୁସାରେ, ୧୧ ତାରିଖ ଅପରାହ୍ନରେ ବିଜୟଲକ୍ଷ୍ମୀ ନାରାୟଣପୁର ନିକଟ କାଜୁ ବଗିଚାରେ ଜୁଆ ଖେଳ ଚାଲିଥିବା ଖବର ପାଇ କେ.ନୂଆଗାଁ ପୋଲିସ ଚଢାଉ କରିଥିଲା। ପୋଲିସ ପହଞ୍ଚିବା ବେଳକୁ ପ୍ରାୟ ୧୦ ରୁ ୧୫ ଜଣ ତାସ୍‌ ଖେଳୁଥିବା ଦେଖାଯାଇଥିଲା। ପୋଲିସ କୁ ଦେଖି କିଛି ଜୁଆଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।ଘଟଣାସ୍ଥଳରୁ ତ୍ରିଲୋଚନ ସାହୁ ଓରଫ ଲଣ୍ଡା, କାଳିଆ ସାହୁ ଓରଫ କାଳୁ ଏବଂ ସନ୍ତୋଷ କୁମାର ସାହୁଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ କେତେକ ଜୁଆଡ଼ି ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଚଢାଉ ସମୟରେ ପୋଲିସ କର୍ମଚାରୀଙ୍କୁ ଜୁଆଡ଼ି ମାନେ ଧକ୍କା ମାରିବା ସହ ମାଡ଼ ମାରିଥିବା ଏବଂ ଧମକ ଦେଇଥିବା ସୂଚନା ମିଳିଛି। ଏନେଇ କେ.ନୂଆଗାଁ ଥାନାରେ ମାମଲା ନଂ ୧୭୭/୨୦୨୬ ରୁଜୁ ହୋଇଛି।