ଚବିଶି ବର୍ଷର ଦୁଃଖ: ରାଧାମୋହନ ଛକରୁ ମୁଣ୍ଡମାଳ ରାସ୍ତାର ଦୁର୍ଦ୍ଦଶା

ଚୌଦ୍ୱାର(ଶିବବ୍ରତ ଦାସ ): ଦୀର୍ଘ ୨୪ ବର୍ଷ ଧରି ରାଧାମୋହନ ଛକରୁ ମୁଣ୍ଡମାଳ ରାସ୍ତା ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଛି। ଓଟିଏମ୍ କଲୋନୀ ଦେଇ ଯାଇଥିବା ଏହି ରାସ୍ତା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମରଣଯନ୍ତା ପାଲଟିଛି।ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ଓ ଅସମତଳ ରାସ୍ତା ଯୋଗୁଁ ଦୈନନ୍ଦିନ ଯାତାୟାତ ବାଧାପ୍ରାପ୍ତ ହେଉଛି। ବର୍ଷା ହେଲେ ଖାଲଖମାରେ ପାଣି ଜମି ରହିବାରୁ କେଉଁଠି ରାସ୍ତା ଅଛି ଓ କେଉଁଠି ଖାଲ ଅଛି ତାହା ଜାଣିବା କଷ୍ଟକର ହୋଇପଡ଼ୁଛି। ଫଳରେ ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକ ଓ ପଥଚାରୀମାନେ ବିଶେଷ ଭାବେ ଦୁର୍ଘଟଣାର ଆଶଙ୍କାରେ ରହୁଛନ୍ତି।ଏହି ରାସ୍ତାର ଦୁର୍ଦ୍ଦଶା ନେଇ ସ୍ଥାନୀୟ ଲୋକେ ବହୁବାର ଦାବି ଓ ଅଭିଯୋଗ କରିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହେଉଛି। ନିର୍ବାଚିତ ପାରିଷଦ, ସ୍ଥାନୀୟ ବିଧାୟକ ଓ ଚୌଦ୍ୱାର ପୌର ପ୍ରଶାସନ ଏହି ସମସ୍ୟା ପ୍ରତି ନିରବ ଦ୍ରଷ୍ଟା ସାଜିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।ସ୍ଥାନୀୟ ବାସିନ୍ଦାଙ୍କ ପ୍ରଶ୍ନ— ଚବିଶି ବର୍ଷର ଏହି ଦୁଃଖର ଅନ୍ତ କେବେ? ଓଟିଏମ୍ କଲୋନୀର ଏହି ମରଣଯନ୍ତା ରାସ୍ତାର ଭାଗ୍ୟ କେବେ ଫିଟିବ? ତୁରନ୍ତ ରାସ୍ତାର ସ୍ଥାୟୀ ମରାମତି କରି ନିରାପଦ ଯାତାୟାତ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।