ଜଙ୍ଗଲ ଭିତରୁ ଗୟଳର ମୃତଦେହ ଉଦ୍ଧାର

ଭଞ୍ଜନଗର,୨୧/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) : ଜଙ୍ଗଲରୁ ମିଳିଲା ବିରଳ ଗୟଳର ମୃତଦେହ। ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ ଅଧିନ ତାରାସିଂ ବନାଞ୍ଚଳର ଆମ୍ବଝରା ଜଙ୍ଗଲ ଭିତରୁ ଏକ ଗୟଳ ମୃତଦେହ ଉଦ୍ଧାର କରାଯାଇଛି। ଗୟଳ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିଥିବା ବେଳେ ବୟସାଧିକ ଯୋଗୁ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ,ଗତ ଶନିବାର ବନବିଭାଗ କର୍ମଚାରୀ ଖିଲାଡ଼ି ଗ୍ରାମ ନିକଟ ଆମ୍ବଝର ଜଙ୍ଗଲରେ ପେଟ୍ରଲିଂ କରିଥିଲେ। ଏହି ସମୟରେ ଗୟଳର ମୃତଦେହ ଦେଖିଥିଲେ। ଗତକାଲି ବିଳମ୍ବିତ ସମୟ ହୋଇଥିବାରୁ ଆଜି ସକାଳ ସମୟରେ ରେଞ୍ଜର ପୃଥିବୀରାଜ ପ୍ରଧାନଙ୍କ ସମେତ ପ୍ରାଣୀ ଚିକିତ୍ସା ଅଧିକାରୀ ବିଭୁ କଲ୍ୟାଣ ପରିଡ଼ା, ସହକାରୀ ବନ ସଂରକ୍ଷକ ବିମଳ କୁମାର ପ୍ରଧାନ ଅନ୍ୟ ବନ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ବ୍ୟବଚ୍ଛେଦ କରି ପୋତି ଦେଇଥିବା ଜଣାପଡ଼ିଛି। ମୃତ ଗୟଳଟି ପ୍ରାୟ ଦୁଇ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଆନୁମାନିକ ୧୮-୨୦ ବର୍ଷ ବୟସ ହେବା ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।