ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ : ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବେ ଉଦବୋଧନ ଦେଇଛନ୍ତି । ଏହି ଫୋରମରେ ଉଭୟ ପକ୍ଷର ବିଭିନ୍ନ କମ୍ପାନୀର ଏକାଧିକ ସିଇଓ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିରକ୍ଷା, ମହାକାଶ, ବିକଶିତ ପ୍ରଯୁକ୍ତି ବିଦ୍ୟା, ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଜୀବ ବିଜ୍ଞାନ, ଜୀବନଶୈଳୀ, ଖାଦ୍ୟ ଓ ଆତିଥେୟତା ପରି ବିଭିନ୍ନ ବିଭାଗ ଉପରେ ଆଲୋକପାତ କରାଯାଇଥିଲା ।ଭାରତ ଓ ଫ୍ରାନ୍ସ ଭିତରେ ରହିଥିବା ବାଣିଜ୍ୟିକ ସମ୍ପର୍କ ଓ ଆର୍ଥିକ ସହାୟତା ଉପରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ପୁଞ୍ଜି ନିବେଶ କ୍ଷେତ୍ରରେ ଭାରତର ଲୋକପ୍ରିୟ ବୈଶ୍ୱିକ ଭାବମୂର୍ତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସଦ୍ୟ ଉପସ୍ଥାପିତ ହୋଇଥିବା ବଜେଟର ବିଭିନ୍ନ ସଂସ୍କାରଧର୍ମୀ ଘୋଷଣା ଅନୁସାରେ ବୀମା କ୍ଷେତ୍ରରେ ଭାରତରେ ଶତ ପ୍ରତିଶତ ପୁଞ୍ଜି ନିବେଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏସଏମଆର ଓ ଏଏମଆର ଯାନ୍ତ୍ରିକ ବିଦ୍ୟା ସହ ବେସାମରିକ ଆଣବିକ ଶକ୍ତି କ୍ଷେତ୍ରରେ ଘରୋଇ ପ୍ରବେଶ, ଉତ୍ପାଦଗୁଡିକର ମୂଲ୍ୟରେ ସରଳୀକରଣ, ଭଲ ଜୀବନଧାରଣ ପାଇଁ ସରଳୀକୃତ ଆୟକର କୋଡ ପ୍ରଚଳନ ପରି ବିଭିନ୍ନ ଦିଗ ଉପରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ବିଭିନ୍ନ ଆର୍ଥିକ ସଂସ୍କାର ଉପରେ ପ୍ରାଧାନ୍ୟ ଦେଇ ତାଙ୍କ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଗତ କିଛି ବର୍ଷ ଭିତରେ ଏପ୍ରକାର ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟ କରାଯାଇଥିବା ଉଲ୍ଲେଖ କରାଯାଇଛି । ପ୍ରତିରକ୍ଷା, ଶକ୍ତି, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ମହାକାଶ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ପ୍ରଗତି ପ୍ରତି ଫରାସୀ କମ୍ପାନୀଗୁଡିକ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର, କ୍ୱାଂଟମ, ଖଣି ଓ ହାଇଡ୍ରୋଜେନ ମିଶନ ପରି କ୍ଷେତ୍ରରେ ଭାରତର ଦକ୍ଷତା ଓ ବୈଶ୍ୱିକ ପ୍ରଶଂସା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଫରାସୀ ଉଦ୍ୟୋଗପତିଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏସବୁ କ୍ଷେତ୍ରରେ ଉଭୟ ଦେଶର ଗବେଷଣା, ପୁଞ୍ଜି ନିବେଶ ଓ ଯାନ୍ତ୍ରିକ ସହଭାଗିତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।ଏହି ସିଇଓ ଫୋରମକୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର, ଫ୍ରାନ୍ସ ପ୍ରତିପକ୍ଷ ଜିନ ନୋଏଲ ବାରୋଟ ଏବଂ ଫ୍ରାନ୍ସର ଶିଳ୍ପ ଓ ଅର୍ଥମନ୍ତ୍ରୀ ଏରିକ ଲମ୍ବାର୍ଡ ପ୍ରମୁଖ ସମ୍ବୋଧନ କରିଥିଲେ ।

Leave a Reply

Your email address will not be published. Required fields are marked *