ସମ୍ବଲପୁର ସିଦ୍ଧେଶ୍ୱରବେର୍ଣ୍ଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କମ୍ପ୍ୟୁଟର ଲ୍ୟାବ୍ ଉଦଘାଟିତ

ସମ୍ବଲପୁର : ସମ୍ବଲପୁର ସିଦ୍ଧେଶ୍ୱରବେର୍ଣ୍ଣା (ଟାଙ୍ଗରପାଲି) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉଦଘାଟିତ ହୋଇଥିବା କମ୍ପ୍ୟୁଟର ଲ୍ୟାବ୍ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଟେକ୍ନୋଲୋଜି ସହ ଯୋଡି ସେମାନଙ୍କ ପାଖରେ ଦେଶ ଦୁନିଆର ଖବର ପହଞ୍ଚାଇବା ଦିଗରେ ଏକ ପ୍ରମୁଖ ମାଧ୍ୟମ ହେବ ବୋଲି ଏହାର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସାମାଜିକ ଦାୟିତ୍ୱ ଅନ୍ତର୍ଗତ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି କମ୍ପ୍ୟୁଟର ଲ୍ୟାବ୍ ତିଆରି ହୋଇଛି । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଏହା ଏକ ସାଧୁ ଉଦ୍ୟମ । ଓଡ଼ିଶାର ପୁଞ୍ଜି ହେଉଛି ଶିକ୍ଷା, ଯାହାକୁ ସୁସମୃଦ୍ଧ କରିବାରେ ବିଦ୍ୟା ଭାରତୀ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବଡ଼ ଭୂମିକା ଗ୍ରହଣ କରିଛି । ଯେତେବେଳେ ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଭାରତୀୟ ମୂଲ୍ୟବୋଧକୁ ପୁନଃସ୍ଥାପିତ କରିବା ପାଇଁ ପ୍ରୟାସ ହେଉଛି, ସେ ସମୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଏହାକୁ ସଫଳ କରିବା ସହ ବିକଶିତ ଭାରତର ମଙ୍ଗ ଧରିବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ନୂଆପିଢ଼ିଙ୍କୁ ଭାରତୀୟତା ଆଧାରରେ ଯୋଡ଼ିବା, ଭାରତୀୟ ଭାଷାକୁ ପ୍ରୋତ୍ସାହନ ଓ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଦେବା ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ରହିଛି । ସେହିପରି ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତିକୁ ବଢାଇବା ଦିଗରେ ବିଭିନ୍ନ ସ୍କୁଲରେ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା ହେଉଛି ।

Leave a Reply

Your email address will not be published. Required fields are marked *