
ଭଞ୍ଜନଗର ୧୧/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲୋକାର୍ପିତ ହୋଇଛି। ଏହା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏଓ୍ୱାଇ) ଏବଂ ଆୟୁଷ୍ମାନ ବୟୋବନ୍ଦନାର ମଧ୍ୟ ଶୁଭାରମ୍ଭ ହୋଇଛି।ଏହା ଦ୍ବାରା ରାଜ୍ୟର ସାଢ଼େ ୩ କୋଟି ଲୋକ ମାଗଣା ସ୍ୱାସ୍ଥ୍ୟସେବା ପାଇବେ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସମାରୋହରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ପିଏଚସି ଓ ସିଏଚସିରେ ଏହାର ସିଧା ପ୍ରସାରଣ ହୋଇଥିଲା ବେଳେ ଭଞ୍ଜନଗର ବ୍ଲକର କୁଲାଡ ବଡଦାଣ୍ଡ ,ମୁଜାଗଡ କଲ୍ୟାଣମଣ୍ଡପ,ବାହାଡାପଦର ଉଚ୍ଚ ବିଦ୍ୟାଳୟ ଓ ଡହର(ଡୁମାକୁମ୍ପା) ଠାରେ ଏହାର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଭଞ୍ଜନଗର ବ୍ଲକର ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ଭାରପ୍ରାପ୍ତ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀ,ନଗର ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି,ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ,ଡିଆରଡିଏ ପ୍ରତିନିଧି ଶିବଶଙ୍କର ପ୍ରଧାନ,ଭାଜପା ଯୁବ ନେତା କୁବେର ପ୍ରଧାନ,ଧୋବା ଗୌଡ,ମାନସ ଜେନାଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ପ୍ରତ୍ୟେକ ହିତାଧିକାରୀଙ୍କୁ ଏହି ଯୋଜନାରେ ପିଏମଜେଏୱାଇ-ଜିଜେଏଓ୍ୱାଇ କାର୍ଡ ଦିଆଯିବ।ଏଥିରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ମିଳିବ। ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଏହି ସୁବିଧା ମିଳିବ।