ମୁଦ୍ରା ଯୋଜନା ସଫଳତା: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କୋରାପୁଟର ରାଧାରାଣୀ

କୋରାପୁଟ: ଦୃଢ଼ ଇଛାଶକ୍ତି ଓ ଲକ୍ଷ୍ୟ ରହିଲେ ଅର୍ଥ ବି ବାଧକ ସାଜିବ ନାହିଁ। ଏହାକୁ ସଠିକ ଭାବେ ପ୍ରତିପାଦିତ କରିଛନ୍ତି କୋରାପୁଟ ପୌରପରିଷଦ ୧୨ ନମ୍ବର ୱାର୍ଡର ଜଣେ ଗୃହିଣୀ ରାଧାରାଣୀ ବାରିକ। କୋଭିଡ ରାଧାରାଣୀଙ୍କୁ ବଂଚିବା ପାଇଁ ନୂଆ ରାହା ଦେଖାଇଛି। ଘରର ଆର୍ଥିକସ୍ଥିତି ସଜାଡିବା ପାଇଁ ସେ ଅଣ୍ଟାଭିଡି ବାହାରିଥିଲେ। ମହାଜନଙ୍କ ଠାରୁ ଆରମ୍ଭରେ ହାତ ଉଧାରୀ ଓ ପରେ ପ୍ରଧାନମନ୍ତ୍ରୀ ମୁଦ୍ରାଯୋଜନାରେ ଋଣ ନେଇ ଡାଏରୀ ଫାର୍ମ ଓ ଗୋଖାଦ୍ୟ ବିକ୍ରି କରି ଆଜି ସଫଳତା ପାଇଛନ୍ତି। ଏଥି ପାଇଁ ତାଙ୍କୁ ଗତ ୮ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସ୍ବତନ୍ତ୍ର ଭେଟିବାକୁ ସୁଯୋଗ ମିଳିଥିଲା ।

ଗୃହିଣୀ ରାଧାରାଣୀଙ୍କ ପରିବାର କହିଲେ ସ୍ବାମୀ ଭବାନୀ ବାରିକ ଓ ଯୁକ୍ତ ୩ ଓ ଯୁକ୍ତ ୨ରେ ପଢ଼ୁଥିବା ଦୁଇ ପୁଅ। ସ୍ବାମୀ ଇଗ୍ନୋଉ ଆଂଚଳିକ କାର୍ଯ୍ୟାଳୟରେ ଅସ୍ଥାୟୀ ପିଅନ୍ ଭାବେ କାର୍ଯ୍ୟ କରୁଛନ୍ତି। ସ୍ବଳ୍ପଦରମାରେ ପରିବାର ନେଇ ଚଳିବା ରାଧାରାଣୀଙ୍କ ପାଇଁ ହେଉଥିଲା ମୁସ୍କିଲ। ଖାସ୍ କରି କୋଭିଡ ସମୟରେ ଚଳିବା ଏମାନଙ୍କ ପାଇଁ ଅଧିକା କଷ୍ଠକର ହୋଇ ପଡିଥିଲା। ତେଣୁ ରାଧାରାଣୀ ଅସୁବିଧାଗୁଡ଼ିକୁ ଦୂର କରିବା ପାଇଁ ପଶୁପାଳନ ଆଡ଼କୁ ମନ ବଳାଇ ଥିଲେ। ସ୍ଥାନୀୟ ମହାଜନଙ୍କଠାରୁ ହାତଋଣ ନେଇ ଗାଈ କିଣି ଦୁଗ୍ଧ ବ୍ୟବସାୟ ଆରମ୍ଭ କରିଥିଲେ। ଆଗକୁ ବଢ଼ିବାର ଲକ୍ଷ୍ୟ ଓ ଦୃଢ଼ ସଂକଳ୍ପ ସହିତ, ରାଧାରାଣୀ ୨୦୨୩ ଜୁନରେ ଗୋ ପାଳନ ସହ ପଶୁଖାଦ୍ୟ ବିକ୍ରି ଦୋକାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ପୁଣି ଥରେ ସ୍ଥାନୀୟ ମହାଜନଙ୍କଠାରୁ କିଛି ଟଙ୍କା ଋଣ ନେଇ ଆଉ କିଛି ଗାଇ କିଣିଥିଲେ। ଠିକ ସେ ସମୟରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାର ଅଧିକାରୀମାନେ ଆସି ତାଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ସମ୍ପର୍କରେ ବୁଝାଇଥିଲେ। ରାଧାରାଣୀଙ୍କୁ ୩ ଲକ୍ଷ ଟଙ୍କା ଋଣ ଦେଇଥିଲେ। ସେହି ଟଙ୍କା ମିଳିବା ପରେ ପ୍ରଥମେ ସେ ମହାଜନଙ୍କ ଠାରୁ ଆଣିଥିବା ହାତ ଉଧାରି ଋଣ ସୁଝିଥିଲେ। ଏବେ ତାଙ୍କ ନିକଟରେ ଛଅଟି ଗାଈକୁ ନେଇ ଡାଏରୀ ଫାର୍ମ କରିଛନ୍ତି। ଏବେ ପଶୁ ଖାଦ୍ୟ ବିକ୍ରୀଦୋକାନ ଆରମ୍ଭ କରିଛନ୍ତି। ଏବେ ଆର୍ଥିକସ୍ତରରେ ରାଧାରାଣୀ ସ୍ଵଛଳ ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ତାଙ୍କର ଏପରି ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ଦିଲ୍ଲୀରୁ ଡାକରା ଆସିଥିଲା।ସର୍ବଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ନେଇ ସଫଳତା ହାସଲ କରିଥିବା ୫୦ଜଣ ମହିଳା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତ ୮ ତାରିଖରେ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। ଏଥିରେ ଓଡିଶାରୁ ୨ଜଣ ରହିଥିଲେ। ଏଥିରେ କୋରାପୁଟର ରାଧାରାଣୀ ଅନ୍ୟତମ ।

Leave a Reply

Your email address will not be published. Required fields are marked *