ଭଞ୍ଜନଗର : ଯକ୍ଷ୍ମାରୋଗୀ ମୁକ୍ତ ଲକ୍ଷ୍ୟ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଯକ୍ଷ୍ମା ରୋଗ ଏକ ସଂକ୍ରମଣ ରୋଗ। ଏହା ଜଣକଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଲେ ମୁଖ୍ୟତଃ ଏହି ରୋଗ ହୋଇଥାଏ। ତେଣୁ ଯକ୍ଷ୍ମା ରୋଗୀମୁକ୍ତ ଓଡ଼ିଶା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଇତିମଧ୍ୟରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ରୋଗୀଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଇ ତାଙ୍କୁ ଆବଶ୍ୟକ ଔଷଧ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟ ଚର୍ମ ପରୀକ୍ଷା କରାଯାଉଛି । ଯଦି ତାଙ୍କ ଶରୀରରେ ଯକ୍ଷ୍ମାରୋଗର ଜୀବାଣୁ ଥିବାର ପ୍ରମାଣ ମିଳେ ସମ୍ପର୍କୀୟଙ୍କୁ ମଧ୍ୟ ଔଷଧ ସମେତ ଅନ୍ୟାନ୍ୟ ସୁବିଧା ଦିଆଯାଏ। ୧୮ ବର୍ଷରୁ କମ୍‌ ଶିଶୁମାନଙ୍କୁ ସେମାନଙ୍କ ଓଜନ ଅନୁସାରେ ରୋଗ ପ୍ରତିରୋଧକ ଔଷଧ ବଣ୍ଟନ କରାଯିବ। ଏହାହେଲେ ରୋଗୀଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବନାହିଁ। ଏଥିସହ ରୋଗୀ ତୁରନ୍ତ ସୁସ୍ଥ ହୋଇପାରିବ। ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ିବ ନାହିଁ। ଚର୍ମ ପରୀକ୍ଷା ମାଧ୍ୟମରେ ଯକ୍ଷ୍ମା ରୋଗ ହୋଇଛି କି ନାହିଁ ଜାଣିବା ପାଇଁ ସିୟାଇ ଟିବି(cyTB) ଯୋଜନା ବୁଧବାର ଗଞ୍ଜାମ ଜିଲାରେ ଶୁଭାରମ୍ଭ ହୋଇଛି।ଏନେଇ ଗଞ୍ଜାମ ଜିଲା ସାସ୍ଥ୍ୟ ସମିତି ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏଥିରେ ଗଞ୍ଜାମ ଜିଲା ସାସ୍ଥ୍ୟ ଅଧିକାରୀ ଡ ଭବାନୀ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହି ସମୟରେ ଡ. ଅବନୀ ପାତ୍ର, ଡିପିଓ ବିଦେଶୀ ଜେନା, ପିପିଏମ୍‌ ସଂଯୋଜକ ସୁଧୀର କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଯୋଜନାର ସୁଫଳ କିଭଳି ମିଳିବ ସେନେଇ କହିଥିଲେ। ଅନ୍‌ଲାଇନ ମାଧ୍ୟମରେ ଜିଲାର ବିଭିନ୍ନ ଅଧିକାରୀ, କର୍ମଚାରୀ ଯୋଗ ଦେଇଥିଲେ। ମେ’ ୧୦ ସୁଦ୍ଧା ୩୬୦୦ ଜଣକ ଚର୍ମ ପରୀକ୍ଷା କରିବା ଯୋଜନା ଅଛି। ଯୋଜନା ଏଭଳି କାର୍ଯ୍ୟକାରୀ କରିବା ଯାହା ଅନ୍ୟ ଜିଲା ପାଇଁ ଉଦାହରଣ ପାଲଟିବ ବୋଲି ବକ୍ତାମାନେ କହିଥିଲେ।ଏହିଭଳି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ତାରସିଂଠାରେ ମଧ୍ୟ ଆଜି ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଛି। ତାରସିଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟମାନେ ଆସି ଚର୍ମ ପରୀକ୍ଷା କରାଇଥିଲେ। ଏହି ସମୟରେ ମେଡିକାଲ ଅଫିସର୍‌ ଡ ସଚ୍ଚିଦାନନ୍ଦ ସାହୁ, ଏସ୍‌ଟିଏସ୍‌ ଦୁର୍ଗାପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଜଗନ୍ନାଥପ୍ରସାଦ ରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମେଡିକାଲ ଅଧିକ୍ଷକ ଡ ଦାସ କିରଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଭଞ୍ଜନଗର, ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦ ବ୍ଲକରେ ବର୍ତ୍ତମାନ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ଯକ୍ଷ୍ମା ରୋଗୀ ଅଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ମାସକୁ ୧ ହଜାର ଟଙ୍କା ଏହିଭଳି ୬ ମାସରେ ସର୍ବାଧିକ ୬୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏଥିସହ ଔଷଧ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି। ଦାତାଙ୍କ ସହାୟତାରେ ୬ ମାସ ପାଇଁ ଶୁଖିଲା ଖାଦ୍ୟ ମଧ୍ୟ ସେମାନଙ୍କୁ ଦେବା ବ୍ୟବସ୍ଥା କରାଯାଉଛି। ଅପରପକ୍ଷେ ଗଞ୍ଜାମ ଜିଲାରେ ପ୍ରତିବର୍ଷ ୫ ହଜାରରୁ ଉର୍ଦ୍ଧ ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଛନ୍ତି। ଯାହାକି ଚିନ୍ତାଜନକ ବିଷୟ। ତେଣୁ ଜିଲାକୁ ଯକ୍ଷ୍ମାରୋଗୀ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *