
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ରବିବାର ଦିନ ଭଞ୍ଜନଗର ଆରଏମସି ସମ୍ମିଳନୀ କକ୍ଷ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ “ସାର୍ବଜନୀନ ଉପଯୋଗୀ ସେବା ପାଇଁ ସ୍ଥାୟୀ ଲୋକ ଅଦାଲତର ପ୍ରତିଷ୍ଠା ଏବଂ କାର୍ଯ୍ୟ ଏବଂ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ପ୍ରଣାଳୀ ଉପରେ ସଚେତନତା କାର୍ଯ୍ୟକ୍ରମ” ବିଷୟରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶେଖ୍ ମହମ୍ମଦ କଏସ ଯୋଗ ଦେଇ ସ୍ଥାୟୀ ଲୋକ ଅଦାଲତରେ ଥିବା ବିଭିନ୍ନ ଆଇନଗତ ଅଧିକାର ବିଷୟରେ ବର୍ଣ୍ଣନା କରିଥିଲେ ।ସେହିପରି ବରିଷ୍ଠ ଦିୱାନୀ ବିଚାରପତି ଶ୍ରୀ ଦେବାଶିଷ ବିଶୋଇ ବିକଳ୍ପ ବିବାଦ ସମାଧାନ ପ୍ରଣାଳୀରେ ବର୍ଣ୍ଣିତ ମଧ୍ୟସ୍ଥତା ମାଧ୍ୟମରେ କିଭଳି ଆଇନଗତ ସାହାଯ୍ୟ ମିଳେ ସେହି ବିଷୟରେ ଆଲୋକପାତ କରିଥିଲେ। ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ସ୍ଥାୟୀ ଲୋକ ଅଦାଲତର ଗଠନ ଏବଂ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁତ୍ ସଂଖ୍ୟାରେ ଅଙ୍ଗନୱାଡ଼ି ସହାୟୀକା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଗଣ ଯୋଗଦାନ କରିଥିଲେ । ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।