
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ଠାରେ ପୋଲ କାମ ଚାଲିଥିବା ବେଳେ ଦୀର୍ଘଦିନ ହେଲା ଡାଇଭର୍ଶନ ଦେଇ ଯାତାୟାତ ଚାଲିଥିଲା । ଗତ ଦୁଇଦିନ ପୂର୍ବେ ସନ୍ଧ୍ୟା ରେ ବର୍ଷାରେ ଡ଼ାଇଭର୍ସନ ଟି ଧୋଇ ହୋଇଯାଇଛି । ଫଳରେ କୁଡୁତାଇ ଠାରୁ ଗେରେଡା, କ୍ଷେତମୁଣ୍ଡଳୀ ପଞ୍ଚାୟତ ର ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି । କୌଣସି ଯାନବାହନ ଏପରିକି ପାଦରେ ଚାଲିକି ଯିବା ମଧ୍ୟ ସମ୍ଭବ ହୋଇ ପାରୁନାହିଁ । ଦୁଇଦିନ ହେଲା ଏଭଳି ସମସ୍ୟା ଉପୁଜିଥିଲେ ମଧ୍ୟ ଠିକାଦାର ପକ୍ଷରୁ ଗମନାଗମନ ପାଇଁ କୌଣସି ଵ୍ୟଵସ୍ଥା କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟିହୋଇଛି । ଏପରିକି ନାଳ ସେପଟେ ବାସକରୁଥିବା କିଛି ପରିବାର ବଜାର କରିବା ପାଇଁ ପାଦରେ ଚାଲିକି ଛକ କୁ ଆସିପାରୁନାହାନ୍ତି । ଏକ ଠିକା ସଂସ୍ଥା ପକ୍ଷରୁ ବେଲଗୁଣ୍ଠା ଠାରୁ ଲେମ୍ଭେଇ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ୟ୍ଯ ଦୀର୍ଘମାସ ଧରି ଚାଲିଛି । ବିଭିନ୍ନ ସ୍ଥାନରେ କାମ ଅଧପନ୍ତରିଆ ହୋଇ ପଡ଼ିଥିବା ବେଳେ ଏବେ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ସମସ୍ୟା ସୃଷ୍ଟି ହୋଇଛି । ଠିକା ସଂସ୍ଥା ପକ୍ଷରୁ ଏଥି ପ୍ରତି ନଜର ଦେବାକୁ ଦାବି ହୋଇଛି ।