ଭଦ୍ରକରେ ହେବ ସରକାରୀ ବିଶ୍ୱବିଦ୍ୟାଳୟ; ୨୭୫ କୋଟିର ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ (ଜଗନ୍ନାଥ ବେହେରା, ଧାମନଗର ପ୍ରତିନିଧି,ଓଡ଼ିଶା ଟୁଡେ): ଭଦ୍ରକରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି। ରାଜ୍ୟ ସରକାର ଏ ନେଇ ଚିନ୍ତା କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିଭଳି ଦୀର୍ଘ ୧୮ ବର୍ଷ ଧରି ଭଦ୍ରକରେ ମେଡିକାଲ୍ କଲେଜ ପାଇଁ ଜିଲ୍ଲାବାସୀ ଦାବି କରି ଆସୁଥିବା ବେଳେ ଖୁବ୍‌ଶୀଘ୍ର ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୋମବାର ଭଦ୍ରକ ଜିଲ୍ଲା ଗସ୍ତ ଅବସରରେ କହିଛନ୍ତି। ଭଦ୍ରକ ବ୍ଲକ ଅଧୀନ ରମ୍ଭିଳା ଆରଡ଼ିପଦା ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୨୭୫ କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣିଙ୍କୁ ପ୍ରଣାମ ଜଣାଇ ବକ୍ତବ୍ୟ ଆରମ୍ଭ କରିଥିଲେ। ସାରସ୍ବତ, ରାଜନୈତିକ, ସ୍ବାଧୀନତା ସଂଗ୍ରାମ ଆଦି କ୍ଷେତ୍ରରେ ଭଦ୍ରକ ଜିଲ୍ଲା ସାରା ଭାରତକୁ ଚମକପ୍ରଦ କରିଛି ବୋଲି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଭଦ୍ରକ ଜିଲ୍ଲାବାସୀଙ୍କ ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜ ଭିଭିପ୍ରସ୍ତର ସ୍ଥାପନ ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଯାହାକୁ ଆମ ସରକାର ଗତ ବିଧାନସଭାରେ ପ୍ରାଧାନ୍ୟ ଦେଇଛି। ସରକାରୀ ବିଶ୍ଵବିଦ୍ୟାଳୟ ବି ହେବାକୁ ଯାଉଛି। ସେହିଭଳି ଆଇଓସିଏଲ୍ ପକ୍ଷରୁ ଏକ ଟେକ୍ନିକାଲ ଟେକ୍ସଟାଇଲ୍ କମ୍ପ୍ଲେକ୍ସ ଓ ଏପ୍‌ସିପିଆଇ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଏକ ଏଚଏମଏଲଏସ୍ ପଲିଷ୍ଟର ଉତ୍ପାଦନ କମ୍ପାନି ପ୍ରତିଷ୍ଠା କରାଯିବ। ଏହା ସହିତ ଭଦ୍ରକରେ ଥିବା ସମସ୍ତ ସହିଦ୍ ପୀଠର ସୌନ୍ଦର୍ଯ୍ୟକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଆମର ସରକାର କ୍ଷମତାକୁ ଆସିବା ପରେ ବିପ୍ଳବ ମାଟି ଭଦ୍ରକରେ ଆଜି ବିକାଶର ଗତି ତ୍ବରାନ୍ବିତ ହୋଇଛି। ଓଡ଼ିଶାରେ ଏବେ ଯେଉଁ ଶିଳ୍ପ ବିପ୍ଳବ ଆରମ୍ଭ ହେବାକୁ ଯାଉଛି, ସେଥିରେ ଦୁଇଟି ଗୁରୁତ୍ବପୂର୍ଣ ପ୍ରକଳ୍ପ ଭଦ୍ରକ ଜିଲ୍ଲା ପାଇଁ ମଧ୍ୟ ରହିଛି। ଗୋଟିଏ ହେଲା ଆଇଓସିଏଲ ପକ୍ଷରୁ ଭଦ୍ରକରେ ୪,୩୭୭ କାଟି ଟଙ୍କା ବିନିଯୋଗରେ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ।

ଏହା ଦ୍ଵାରା ପ୍ରାୟ ୪୩୦୦ ଲୋକଙ୍କୁ ନିଯୁକ୍ତି ମିଳିବ । ଏହା ସହିତ ୨୨୨୩.୨୫ କାଟି ଟଙ୍କାର ପୁଞ୍ଜି ବିନିଯୋଗରେ ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା । ଏହାଦ୍ଵାରା ୧୧୫୦ ଲୋକଙ୍କୁ ନିଯୁକ୍ତି ମିଳିବ ବାଲି ସେ କହିଥିଲେ।ସେ ଆହୁରି କହିଥିଲେ, ଭଦ୍ରକକୁ ରାଜ୍ୟର ଏକ ଅଗ୍ରଣା ଓ ବିକଶିତ ଜିଲ୍ଲା ଭାବରେ ଗଢ଼ି ତୋଳିବା ପାଇଁ ଉଦ୍ୟମ ଜାରି ରହିଛି। ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ହେଉଛି ଆମର ପ୍ରାଥମିକତା। ଆଜି ଜିଲ୍ଲା ପାଇଁ ପ୍ରାୟ ୨୭୫ କୋଟିର ବିଭିନ୍ନ ଜନକଲ୍ୟାଣକାରୀ ୧୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସହିତ ଏଥିରେ ରାସ୍ତା, କ୍ରୀଡ଼ା ଭିତ୍ତିଭୂମି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଲାଇବ୍ରେରୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଏକ ପାର୍କ ନିର୍ମାଣ ପ୍ରକଳ୍ପ ରହିଛି ବୋଲି ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଭଦ୍ରକ ମାଟି ବୀରତ୍ବର ମାଟି। ଲୋକଙ୍କ ବିଶ୍ଵାସ ଓ ଭରସାକୁ ବଜାୟ ରଖି ଆମ ସରକାର ଗୋଟିଏ ବର୍ଷ ଭିତରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ଏବଂ କରୁଛନ୍ତି, ତାହା ଲୋକଙ୍କ ସରକାରଙ୍କ ପ୍ରତିବଦ୍ଧତା ଦିଗରେ ସୂଚାଉଛି । ଏହି ଉନ୍ନତିମୂଳକ ପ୍ରକଳ୍ପ ସମସ୍ତ ଭଦ୍ରକବାସୀଙ୍କ ଦୃଢ଼ ସମର୍ଥନର ପ୍ରତିଫଳନ ବୋଲି କହିଥିଲେ । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ କହିଥିଲେ, ସରକାର ଗଠନକୁ ମାତ୍ର ବର୍ଷେ ହୋଇଛି । ଆମ ହାତରେ ପର୍ଯ୍ୟାସ୍ତ ସମୟ ରହିଛି। ଲୋକଙ୍କ ସବୁ ସମସ୍ୟା ନିଶ୍ଚିତ ଏ ସରକାର ପୂରଣ କରିବ । ବାସୁଦେବପୁର ବିଧାୟକ ଅଶୋକ ଦାସ କୋଷ୍ଟ୍ କେନାଲ୍‌ର ବିକାଶ ଦାବି ରଖିଥିଲେ।ସିମୁଳିଆ ବିଧାୟକ ପଦ୍ମଲାଚନ ପଣ୍ଡା ରାଣୀତାଲ ଓ ସିମୁଳିଆ ଦୁଇଟି ସ୍ଥାନରେ ହେବାକୁ ଥିବା ରେଳ ଓଭରବ୍ରିଜକୁ ତୁରନ୍ତ ରାଜ୍ୟ ସରକାର ଅନୁମୋଦନ ଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ କହିଥିଲେ, ଲୋକଙ୍କୁ ଯାହା କହିଛୁ, ତାକୁ ପୂରଣ କରିଛୁ।ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ସ୍ବାଗତ ଭାଷଣ ଦେଇ ଜିଲ୍ଲାବାସୀଙ୍କୁ ଦୁଇ ପ୍ରମୁଖ ଦାବି ନିଶ୍ଚିତ ପୂରଣ ହେବ ବୋଲି କହିଥିବାବେଳେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *