
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ) : ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘୁମୁସର ଇତିହାସର ମୂକସାକ୍ଷୀ ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ଆଗକୁ ରଣଘଣ୍ଟାର ମଧ୍ୟ ବିକାଶ ହେବ।ତେଣୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିମନ୍ତ୍ରଣ ରକ୍ଷା କରି ରବିବାର ବିଭିନ୍ନ ଅଞ୍ଚଳର ଶତାଧିକ ଗବେଷକ, ଲେଖିକା, ଲେଖକ ରବିବାର ଚକରା ଘାଟି ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ଗବେଷକ, ଲେଖିକା, ଲେଖକ ସମେତ ଇତିହାସ , ରାଜନୀତି ଏବଂ ଓଡ଼ିଆ ବିଭାଗର ଅଧ୍ୟାପିକା, ଅଧ୍ୟାପକମାନେ ଚକରା ଘାଟି ଓ ଚକରା ବିଶୋଇଙ୍କ ଉପରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ। ଆଗାମୀ ଦିନରେ ଉକ୍ତ ଲେଖିକା, ଲେଖକ ମାନେ ମଧ୍ୟ ଘାଟିଶୁଳା ପରିଦର୍ଶନରେ ଯାଇ ଗବେଷଣା କରିବେ। ବର୍ତ୍ତମାନ ଚକରା ଘାଟି ଏବଂ ଘାଟିଶୁଳାକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିବା ପାଇଁ ପଦକ୍ଷେପ ନିଆଯାଇଛି । ଉକ୍ତ ଘାଟିରେ ରହି ଘୁମୁସର ବୀର ଚକରା ବିଷୋୟୀ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢେଇ କରିଥିଲେ। ଇତିହାସ ପ୍ରସିଦ୍ଧ ଉକ୍ତ ସ୍ଥାନଗୁଡ଼ିକ ଲୋକଲୋଚନକୁ ଆସିପାରି ନ ଥିଲା। ଆଗାମୀ ପିଢ଼ି ଘୁମୁସର ଇତିହାସର ପ୍ରସିଦ୍ଧ ସ୍ଥଳଗୁଡ଼ିକ ଭୁଲିବାକୁ ବସିଥିଲେ। ତେଣୁ ତାହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ନାୟକ କହିଥିଲେ।ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇ ଘାଟିର ବିକାଶ ସରିବା ପରେ ଘୁମୁସର ଇତିହାସ ସହ ଜଡ଼ିତ ରଣଘଣ୍ଟାର ବିକାଶ କରାଯିବ। ପର୍ଯ୍ୟଟକମାନେ ଆସିଲେ ଏଠାରେ ରହିବା ପାଇଁ ଅତ୍ୟାଧୁନିକ ଗେଷ୍ଟ୍ ହାଉସ୍ ବ୍ୟବସ୍ଥା ହେଉଛି। ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ଚକରା ଘାଟି। ଘଞ୍ଚ ଜଙ୍ଗଲ ମଧ୍ୟରେ ଘାଟିଟି ଥିବାରୁ ଘାଟିର ବିକାଶ ସମୟରେ ବନ୍ୟପ୍ରାଣୀମାନଙ୍କ ସୁରକ୍ଷା କଥା ମଧ୍ୟ ବିଚାରକୁ ନିଆଯାଇଛି। ତେଣୁ ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ସଫାରି ଭଳି ତାରବାଡ଼ ହେବ। ବନ୍ୟପ୍ରାଣୀଙ୍କ ପାଣିର ଅଭାବ ମେଣ୍ଟାଇବା ପାଇଁ ଏକାଧିକ ଜଳାଶୟ ନିର୍ମାଣ କରାଯାଇଛି ବୋଲି ବିଧାୟକ ନାୟକ କହିଥିଲେ। ଏହି ସମୟରେ ଗବେଷକମାନେ ଆଉ କିଛି ନୂଆ ପ୍ରସ୍ତାବ ବିଧାୟକଙ୍କୁ ଦେଇଥିଲେ। ଗବେଷକଙ୍କ ପ୍ରସ୍ତାବକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଆଉ କିଛି ନୂଆ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ବିଧାୟକ କହିଥିଲେ।ବିଧାୟକଙ୍କ ଗସ୍ତ ସମୟରେ ଏମପି ପ୍ରତିନିଧି ସନ୍ତୋଷ ତିଆଡି, ଡି ଏଫ୍ଓ ହିମାଂଶୁ ଶେଖର ମହାନ୍ତି, ଗବେଷକ ଡ. ସନ୍ତୋଷ ଆପଟ, ଦଶପଲ୍ଲା ଫିରିଙ୍ଗିଆ କଲେଜ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ମିଶ୍ର , ଦାମୋଦର ଷଡ଼ଙ୍ଗୀ, ତପନ ମିଶ୍ର,ବରିଷ୍ଠ ଲେଖକ ତଥା ଭଞ୍ଜ ସଙ୍ଗୀତଜ୍ଞ ଲୋକନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।