
ଭଞ୍ଜନଗର ୧୦/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗୁରୁବାର ଦିନ ଅପରାହ୍ନରେ ଗଞ୍ଜାମ ଜିଲ୍ଲା କେନ୍ଦୁପଦର ନିକଟ କେସରାପଲ୍ଲୀ ଛକ ରାସ୍ତା ଉପରେ ଏକ ତେଲ ଭର୍ତ୍ତି ଟ୍ୟାଙ୍କର ଓଲଟି ପଡ଼ିଥିବା ଜଣାପଡ଼ିଛି । କେହି ଆହତ କିମ୍ବା ମୃତାହତ ହୋଇଥିବା କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ଟ୍ୟାଙ୍କରଟି ବ୍ରହ୍ମପୁରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଟ୍ୟାଙ୍କରରୁ କିଛି ପରିମାଣର ପେଟ୍ରୋଲ ଲିକ ହୋଇ ରାସ୍ତା ଉପରେ ପଡ଼ିଥିବା ପ୍ରତ୍ୟକ୍ଷ ଦର୍ଶୀ ମାନେ କହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରି ପ୍ରଧାନଙ୍କ ଓ ତାଙ୍କ ପୋଲିସ ଟିମ ଏବଂ ଦମକଳ ବାହିନୀ କର୍ମଚାରୀ ମାନେ ପହଞ୍ଚି ସେହି ରାସ୍ତା ଦେଇ ଯାଉଥିବା ଯାନବାହନ ଗୁଡ଼ିକୁ ସୁରକ୍ଷା କାରଣରୁ କିଛି ସମୟ ପାଇଁ ଅଟକାଇଥିବା ଜଣାପଡ଼ିଛି ।ତେଲ ଭର୍ତ୍ତି ଟ୍ୟାଙ୍କରଟି କେଉଁ କାରଣରୁ ଓଲଟିଲା ତାହାର ସଠିକ କାରଣ ଜଣା ପଡି ନ ଥିଲେ ମଧ୍ୟ ଟ୍ୟାଙ୍କରଟି ବୁଲାଣି କଲା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଅନୁମାନ କରାଯାଉଛି ।