ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ: ୧୯ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ୧୨ଅଭିଯୁକ୍ତ

ମୁମ୍ବାଇ: ୧୯ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ୧୨ଅଭିଯୁକ୍ତ। ୨୦୦୬ରେ ହୋଇଥିବା ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ସ୍ୱତନ୍ତ୍ର ଟାଡା କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ହାଇକୋର୍ଟ। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୂର୍ବରୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ହାଇକୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରି ଜେଲରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବିଚାରପତି ଅନିଲ କିଲୋର ଏବଂ ବିଚାରପତି ଏସ୍. ଚନ୍ଦକଙ୍କ ଖଣ୍ଡପୀଠ ଏହି ଐତିହାସିକ ରାୟରେ କହିଛନ୍ତି ଯେ, “ଯାହାବି ପ୍ରମାଣ ଉପସ୍ଥାପନ କରାଯାଇଥିଲା, ସେଥିରେ କୌଣସି ଦୃଢ଼ ତଥ୍ୟ ନଥିଲା। ପ୍ରମାଣ ବିଶ୍ବାସଯୋଗ୍ୟ ନଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।” ୧୨ଜଣକ ମଧ୍ୟରୁ ଜଣକର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ୧୧ଜଣ ଜେଲରୁ ମୁକ୍ତ ହେବେ।୧୧ ଜୁଲାଇ ୨୦୦୬ ସନ୍ଧ୍ୟାରେ, ମୁମ୍ବାଇ ଲୋକାଲ୍ ଟ୍ରେନରେ ମାତ୍ର ୧୧ମିନିଟ୍ ମଧ୍ୟରେ ସାତଟି ଭିନ୍ନ ଭିିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୧୮୯ଜଣ ପ୍ରାଣ ହରାଇଥିଲେ। ଏହା ସହ ୮୨୭ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।ଉଲ୍ଲେଖଯୋଗ୍ୟ, ୧୧ ଜୁଲାଇ, ୨୦୦୬ରେ ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ହୋଇଥିବା ସିରିଜ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟର ଏହି ନିଷ୍ପତ୍ତି ୧୯ ବର୍ଷ ପରେ ଆସିଛି। ମାମଲାର ଶୁଣାଣି ଜାନୁଆରି ୨୦୨୫ରେ ସମାପ୍ତ ହୋଇଥିଲା। ସେବେଠାରୁ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ୟେରୱାଡା, ନାସିକ, ଅମରାବତୀ ଏବଂ ନାଗପୁର ଜେଲରେ ବନ୍ଦୀ ଥିବା ଅଭିଯୁକ୍ତମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ହାଇକୋର୍ଟ କେବଳ ଦୋଷୀଙ୍କ ଆବେଦନକୁ ଗ୍ରହଣ କରିନଥିଲେ, ବରଂ ମୃତ୍ୟୁଦଣ୍ଡ ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ।

Leave a Reply

Your email address will not be published. Required fields are marked *