ବଳଙ୍ଗା ନାବାଳିକାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଘଟଣା: ଦିଲ୍ଲୀ ଏମ୍‌ସରେ ପୀଡ଼ିତା, ଅକ୍ସିଜେନ୍‌ ସପୋର୍ଟରେ ରହିଛନ୍ତି

ଭୁବନେଶ୍ବର/ନୂଆଦିଲ୍ଲୀ: ବଳଙ୍ଗା ପୀଡ଼ିତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ଦିଲ୍ଲୀ ଏମ୍‌ସକୁ ଏୟାର୍‌ଲିଫ୍ଟ କରାଯାଇଛି। ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ଭୁବନେଶ୍ବର ଏମ୍‌ସରୁ ଗ୍ରିନ୍ କରିଡର୍‌ରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ନିଆଯାଇଥିଲା। ୧୨ ମିନିଟ୍ ମଧ୍ୟରେ ଏମ୍‌ସରୁ ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସହିତ ପୀଡ଼ିତାଙ୍କୁ ଏୟାର୍‌ ଆମ୍ବୁଲାନ୍ସରେ ଦିଲ୍ଲୀ ପଠାଯାଇଛି। ସାଙ୍ଗରେ ପୀଡ଼ିତାଙ୍କ ପରିବାର ଲୋକ ଯାଇଛନ୍ତି।

ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲା ପରେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଅପରାହ୍ଣ ୪ଟା ୨୦ରେ ଦିଲ୍ଲୀ ଏମ୍‌ସର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରି ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ଓ ସେ ଅକ୍ସିଜେନ‌୍ ସପୋର୍ଟରେ ରହିଥିବା ନେଇ ଏମ୍‌ସ ପକ୍ଷରୁ ଜାରି ମେଡିକାଲ ବୁଲେଟିନ୍‌ରେ ସୂଚନା ଦିଆଯାଇଛି। ବର୍ଣ୍ଣ ଓ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଡାକ୍ତରୀ ଟିମ୍‌ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରୁଛନ୍ତି ବୋଲି ବୁଲେଟିନ୍‌ରେ କୁହାଯାଇଛି। ପୀଡ଼ିତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ପଦକ୍ଷେପ ନିଆଯାଇଛି। ଏମ୍‌ସର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରି ୟୁନିଟ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାରୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି। ପୀଡ଼ିତାଙ୍କ ପରିବାର ତଥା ଡାକ୍ତରୀ ଟିମ୍‌ଙ୍କ ସହିତ ସ୍ଥାନୀୟ ପ୍ରମୁଖ ଅବାସିକ କମିସନରଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗାଯୋଗରେ ରହିଛନ୍ତି। ପୀଡ଼ିତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯିବା ପରେ ବିଜେଡି ସାଂସଦ ମୁନ୍ନା ଖାନ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ଏମ୍‌ସ ଯାଇଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀ ଏମ୍‌ସର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରି ବିଭାଗରେ ସର୍ବୋତ୍ତମ ଚିକିତ୍ସାର ସୁବିଧା ଉପଲବ୍ଧ ରହିଛି। ଚିକିତ୍ସା ପାଇଁ ଦେଶ ବିଦେଶରୁ ଗୁରୁତର ରୋଗୀ ଏଠାକୁ ଆସିଥାନ୍ତି। 

Leave a Reply

Your email address will not be published. Required fields are marked *