ଧୂମଧାମରେ ପାଳିତ ହୋଇଯାଇଛି ଆରାଧ୍ୟ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ନାଗ ପ୍ରତିଷ୍ଠା ଉତ୍ସବ

ପିପିଲି: ହୋମ ଯଜ୍ଞ ସାଙ୍ଗକୁ ଗାୟତ୍ରୀ ମନ୍ତ୍ରରେ ଗୁଞ୍ଜରିତ ହେଉଛି ମନ୍ଦିର ପରିସର । ବ୍ରାହ୍ମଣ ପଣ୍ଡିତଙ୍କ ଦ୍ଵାରା କରାଯାଉଛି ମନ୍ତ୍ର ଉଚ୍ଚାରଣ । ଉପସ୍ଥିତ ରହିଛନ୍ତି କର୍ତ୍ତା କର୍ତ୍ତୀ । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ହରିରାଜପୁର ପଞ୍ଚାୟତ ଅଧୀନ ଭଁସର ଗ୍ରାମର ଆରାଧ୍ୟ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ନାଗ ପ୍ରତିଷ୍ଠା ଉତ୍ସବର । ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଛି ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ନୀଳକଣ୍ଠେଶ୍ଵରଙ୍କ ମନ୍ଦିର ପରିସରରେ ନାଗ ଦେବଙ୍କ ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଉଛି ।ଯାହାକୁ ନେଇ ଉତ୍ସବ ମୁଖରିତ ହୋଇଥିଲା ଏହି ଗ୍ରାମୀଣ ପରିବେଶ । କାହିଁ କେଉଁ ଆବାହମାନ କାଳରୁ ଠାକୁର ପୂଜା ପାଉଥିବାବେଳେ ୧୯୮୨ ମସିହାରେ ମାତ୍ର ୫୩୩୭ ଟଙ୍କାରେ ବାବା ନିଳକଣ୍ଠେଶ୍ଵର ଦେବଙ୍କ ନୂତନ ମନ୍ଦିର ନିର୍ମାଣ କରାଯାଇଥିଲା । ପରେ ୧୯୮୪ ମସିହା ଫେବୃଆରୀ ମାସରେ ମନ୍ଦିର ପ୍ରତିଷ୍ଠା ଉତ୍ସବ କରାଯାଇଥିଲା । ଏହି ନାଗ ସ୍ଥାପନା ଉତ୍ସବରେ କର୍ତ୍ତା ଭାବେ ବୈକୁଣ୍ଠ ନାଥ ସାହୁ ଓ କର୍ତ୍ତୀ ଭାବେ ତାଙ୍କ ଧର୍ମ ପତ୍ନୀ ପ୍ରଭାତୀ ସାହୁ କାର୍ଯ୍ୟ ସମ୍ପାଦନ କରିଥିଲେ ।ସକାଳୁ ସକାଳୁ ମନ୍ଦିର ପରିସରକୁ ଶୁଦ୍ଧପୂତ ଭାବରେ ପଞ୍ଚାମୃତରେ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ନାଗ ପ୍ରତିଷ୍ଠା ପାଇଁ ହୋମ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯେଉଁ ନାଗ ମହାଦେବଙ୍କ ପାଖରେ ରଖାଯାଏ ତାହାକୁ ବାସୁକି ନାଗ କୁହାଯାଏ । ସେହିଭଳି ବିଷ୍ଣୁଙ୍କ ପାଖରେ ରହିଥିବା ନାଗ ଦେବଙ୍କୁ ଅନନ୍ତ ନାଗ କୁହାଯାଏ । ଏହି ପ୍ରତିଷ୍ଠା ଉତ୍ସବରେ ନାଗଙ୍କୁ ହିରଣ୍ୟ ଗର୍ଭରେ ଧାରଣ କରାଯାଇଥିଲା । ପଞ୍ଚକର୍ମ ଶେଷ ହେବା ପରେ ନାଗଙ୍କୁ ଉତ୍ଥାପନ କରାଯାଇଥିଲା । ଏହାପରେ ନାଗ ଦେବଙ୍କୁ ମହାସ୍ନାନ କରାଯାଇ ଶୟନ କରାଯାଇଥିଲା ।ଶୟନରୁ ଉଠିବା ପରେ ବର୍ଦ୍ଧନୀ ଘଟପୂଜା ଏବଂ ଅଷ୍ଟକୁଳା ନାଗପୂଜା କରାଯାଇ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ୧୦୮ ଆହୁତି ପ୍ରଦାନ କରାଯିବା ପରେ ମନ୍ଦିର ଚତଃପାର୍ଶ୍ଵ ପରିକ୍ରମା କରାଯାଇଥିଲା । ଏହାପରେ ମନ୍ଦିର ଗର୍ଭ ଗୃହରେ ନାଗଙ୍କୁ ରଖାଯାଇ ଅଭିଷେକ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସୂର୍ଯ୍ୟ ପୂଜା, ସର୍ବ ଦେବାଦେବୀ ଆବାହନ, ଅଗ୍ନି ସ୍ଥାପନ ଆଦି ପୂଜାର୍ଚ୍ଚନା କରାଯାଇଥିଲା । ଦୀର୍ଘ ଦିନ ପରେ ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟ ହୋଇଥିବାରୁ ଗ୍ରାମବାସୀ ବେଶ ଖୁସି ହୋଇଥିଲେ ।