
ନୂଆଦିଲ୍ଲୀ: ୭୯ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ଆସନ୍ତୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସଂପୂର୍ଣ୍ଣ ଭାଷଣ ପଢିବା….ମୋର ପ୍ରିୟ ଦେଶବାସୀଗଣ,ନମସ୍କାର!ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି। ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ପ୍ରତ୍ୟେକ ଭାରତୀୟ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଦିବସ ଆମକୁ ଭାରତୀୟ ହେବାର ଗୌରବକୁ ବିଶେଷ ଭାବେ ସ୍ମରଣ କରାଇ ଦେଇଥାଏ।ଅଗଷ୍ଟ ୧୫ ତାରିଖ, ଆମ ସାମୂହିକ ସ୍ମୃତିରେ ଗଭୀର ଭାବେ ଅଙ୍କିତ ହୋଇ ରହିଛି। ଉପନିବେଶ ଶାସନର ଲମ୍ବା ଅବଧି ସମୟରେ ଆମ ପୂର୍ବ ପିଢ଼ି ଦେଶକୁ ସ୍ୱାଧୀନ କରିବା ଲାଗି ଅନେକ ସ୍ୱପ୍ନ ଦେଖିଥିଲେ । ଦେଶର ପ୍ରତ୍ୟେକ ଭାଗରେ ରହୁଥିବା ପୁରୁଷ ଓ ମହିଳା, ବୟସ୍କ ଓ ଯୁବକ ବିଦେଶୀ ଶାସନର ଶିକୁଳି ଫିଟାଇବା ଲାଗି ବ୍ୟାକୁଳ ଥିଲେ। ସେମାନଙ୍କ ସଂଘର୍ଷରେ ନିରାଶା ନୁହେଁ ବରଂ ବଳଶାଳୀ ଆଶାର ଭାବନା ରହିଥିଲା। ଆଶାର ଏହି ଭାବନା, ସ୍ୱାଧୀନତା ପରେ ଆମ ପ୍ରଗତିକୁ ଶକ୍ତି ଯୋଗାଇ ଆସିଛି। ଆସନ୍ତାକାଲି ତ୍ରିରଙ୍ଗାକୁ ସଲାମ୍ କରିବା ସମୟରେ, ଆମେ ସମସ୍ତେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା, ଯେଉଁମାନଙ୍କ ବଳିଦାନ ଆଧାରରେ ୭୮ ବର୍ଷ ପୂର୍ବରୁ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ହାସଲ କରିଥିଲା।ନିଜ ସ୍ୱାଧୀନତାକୁ ପୁନଃପ୍ରାପ୍ତ କରିବା ପରେ, ଆମେ ଏପରି ଏକ ଗଣତନ୍ତ୍ରର ମାର୍ଗରେ ଆଗକୁ ବଢ଼ିଥିଲୁ ଯେଉଁଥିରେ ସବୁ ପ୍ରାପ୍ତବୟସ୍କଙ୍କୁ ମତଦାନ ଅଧିକାର ମିଳିଥିଲା। ଅନ୍ୟ ଅର୍ଥରେ କହିବାକୁ ଗଲେ, ଆମେ ଭାରତବାସୀ ନିଜ ଭାଗ୍ୟକୁ ଆକାର ଦେବା ପାଇଁ ନିଜକୁ ହିଁ ଅଧିକାର ପ୍ରଦାନ କରିଥିଲୁ। ଅନେକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲିଙ୍ଗ, ଧର୍ମ କିମ୍ବା ଅନ୍ୟ ଆଧାରରେ ଲୋକମାନଙ୍କର ମତାଧିକାର ଉପରେ କଟକଣା ଲାଗୁ କରାଯାଇଥିଲା। କିନ୍ତୁ, ଆମେ ଏପରି କରିନଥିଲୁ। ଆହ୍ୱାନ ଥିବା ସତ୍ତ୍ୱେ ଭାରତର ଲୋକମାନେ ଗଣତନ୍ତ୍ରକୁ ସଫଳତା ପୂର୍ବକ ଗ୍ରହଣ କରିଥିଲେ। ଗଣତନ୍ତ୍ରକୁ ଆପଣାଇବା ଆମ ପ୍ରାଚୀନ ଗଣତାନ୍ତ୍ରିକ ମୂଲ୍ୟବୋଧର ସହଜ ଅଭିବ୍ୟକ୍ତି ଥିଲା। ଭାରତ-ଭୂମି ବିଶ୍ୱର ପ୍ରାଚୀନତମ ଗଣରାଜ୍ୟର ମାଟି। ଏହାକୁ ଗଣତନ୍ତ୍ରର ଜନନୀ କହିବା ଅତିଶୋୟକ୍ତି ହେବ ନାହିଁ। ଆମ ଦ୍ୱାରା ଗ୍ରହଣ କରାଯାଇଥିବା ସମ୍ବିଧାନର ଆଧାରଶୀଳା ଉପରେ ଆମ ଗଣତନ୍ତ୍ରର ଭବନ ନିର୍ମିତ ହୋଇଛି। ଆମେ ଗଣତନ୍ତ୍ର ଉପରେ ଆଧାରିତ ଏପରି ସଂସ୍ଥା ନିର୍ମାଣ କରିଛୁ ଯାହାଦ୍ୱାରା ଗଣତାନ୍ତ୍ରିକ କାର୍ଯ୍ୟଶୈଳୀ ମଜବୁତ ହୋଇଛି। ଆମ ପାଇଁ ଆମ ସମ୍ବିଧାନ ଏବଂ ଆମ ଗଣତନ୍ତ୍ର ସର୍ବୋପରି।ଅତୀତ ଉପରେ ଆଲୋକପାତ କଲେ ଆମେ ଦେଶ ବିଭାଜନର ଯନ୍ତ୍ରଣାକୁ କଦାପି ଭୁଲି ପାରିବା ନାହିଁ। ଆଜି ଆମେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିଛୁ। ବିଭାଜନ କାରଣରୁ ଭୟାବହ ହିଂସା ଦେଖିବାକୁ ମିଳିଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ହେବାକୁ ବାଧ୍ୟ କରାଯାଇଥିଲା। ଆଜି ଆମେ ଐତିହାସିକ ତ୍ରୁଟିର ଶିକାର ହୋଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।
ପ୍ରିୟ ଦେଶବାସୀଗଣ,ଆମ ସମ୍ବିଧାନରେ ଏପରି ଚାରିଟି ମୂଲ୍ୟବୋଧ ବିଷୟରେ ଉଲ୍ଲେଖ ରହିଛି ଯାହା ଆମ ଗଣତନ୍ତ୍ରକୁ ସୁଦୃଢ଼ କରି ରଖିବାର ଚାରିଟି ସ୍ତମ୍ଭ। ଏସବୁ ମୂଲ୍ୟ ହେଉଛି – ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ବନ୍ଧୁତା। ଏସବୁ ଆମ ସଭ୍ୟତାର ଏପରି ସିଦ୍ଧାନ୍ତ ଯାହାକୁ ଆମେ ସ୍ୱାଧୀନତା ସଂଗ୍ରାମ ସମୟରେ ପୁନର୍ଜୀବିତ କରିଥିଲୁ। ଏସବୁ ମୂଲ୍ୟବୋଧର ମୂଳରେ ବ୍ୟକ୍ତିଗତ ଗରିମାର ଅବଧାରଣା ବିଦ୍ୟମାନ ରହିଛି ବୋଲି ମୁଁ ବିଶ୍ୱାସ କରେ। ପ୍ରତ୍ୟେକ ବ୍ୟକ୍ତି ସମାନ ଏବଂ ଗରିମାପୂର୍ଣ୍ଣ ବ୍ୟବହାର ପାଇବା ଲାଗି ହକଦାର୍ ଅଟନ୍ତି । ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସୁବିଧା ସମସ୍ତଙ୍କ ପାଖରେ ସମାନ ଭାବେ ପହଞ୍ଚିବା ଉଚିତ୍। ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ। ପାରମ୍ପରିକ ବ୍ୟବସ୍ଥା କାରଣରୁ ଯେଉଁମାନେ ବଞ୍ଚିତ ରହିଯାଇଥିଲେ, ସେମାନଙ୍କୁ ସହାୟତା ଦରକାର ଥିଲା।
ଏହିସବୁ ସିଦ୍ଧାନ୍ତକୁ ସର୍ବୋପରି ରଖି ଆମେ ୧୯୪୭ରେ ଏକ ନୂଆ ଯାତ୍ରା ଆରମ୍ଭ କରିଥିଲୁ। ବିଦେଶୀ ଶାସନର ଲମ୍ବା ଅବଧି ପରେ, ସ୍ୱାଧୀନତା ସମୟରେ ଭାରତ ଘୋର ଦାରିଦ୍ର୍ୟ ଦେଖି ଗତି କରୁଥିଲା। କିନ୍ତୁ ସେହି ସମୟ ଠାରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୭୮ ବର୍ଷ ମଧ୍ୟରେ ଆମେ ସବୁ କ୍ଷେତ୍ରରେ ଅସାଧାରଣ ପ୍ରଗତି ହାସଲ କରିଛୁ। ଭାରତ ଆତ୍ମନିର୍ଭର ରାଷ୍ଟ୍ର ହେବାର ମାର୍ଗରେ ଯଥେଷ୍ଟ ଦୂର ଆଗେଇ ଆସିଛି ଏବଂ ଦୃଢ଼ ଆତ୍ମବିଶ୍ୱାସର ସହିତ ଆହୁରି ଆଗକୁ ବଢ଼ିଚାଲିଛି ।ଆର୍ଥିକ କ୍ଷେତ୍ରରେ ଆମର ସଫଳତା ସ୍ପଷ୍ଟ ଭାବେ ଦେଖାଯାଇପାରିବ। ବିଗତ ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ସକଳ ଘରୋଇ ଉତ୍ପାଦ ବୃଦ୍ଧି ହାର ସହିତ ଭାରତ ବିଶ୍ୱର ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ଥିଲା। ବିଶ୍ୱ ଅର୍ଥବ୍ୟବସ୍ଥାରେ ଲାଗି ରହିଥିବା ସମସ୍ୟା ସତ୍ତ୍ୱେ ଘରୋଇ ଚାହିଦାରେ ଦ୍ରୁତ ଅଭିବୃଦ୍ଧି ହେଉଛି। ମୁଦ୍ରାସ୍ଫିତୀକୁ ନିୟନ୍ତ୍ରଣରେ ରଖାଯାଇପାରିଛି। ରପ୍ତାନି ମଧ୍ୟ ବଢ଼ୁଛି । ସମସ୍ତ ପ୍ରମୁଖ ସଂକେତକ ଅର୍ଥବ୍ୟବସ୍ଥାର ଦୃଢ଼ ସ୍ଥିତିକୁ ଦର୍ଶାଉଛି । ଏହା ଆମ ଶ୍ରମିକ ଏବଂ ଚାଷୀ ଭାଇଭଉଣୀଙ୍କ କଠିନ ପରିଶ୍ରମ ଓ ସମର୍ପଣ ସହିତ ସୁଚିନ୍ତିତ ସଂସ୍କାର ଏବଂ ଦକ୍ଷ ଆର୍ଥିକ ପରିଚାଳନା କାରଣରୁ ସମ୍ଭବ ହୋଇପାରିଛି।ସୁଶାସନ ମାଧ୍ୟମରେ, ବହୁ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ସରକାର ଗରିବ ଲୋକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ଯେଉଁମାନେ ଦାରିଦ୍ର୍ୟ ସୀମାରେଖାର ଉପରକୁ ଆସିଛନ୍ତି କିନ୍ତୁ ସ୍ଥିର ସ୍ଥିତିରେ ନାହାନ୍ତି, ସେମାନଙ୍କ ପାଖରେ ମଧ୍ୟ ଏପରି ଯୋଜନାର ସୁରକ୍ଷା ଅଛି ଯାହା ଦ୍ୱାରା ସେମାନେ ପୁଣି ଦାରିଦ୍ର୍ୟ ସୀମାରେଖା ତଳକୁ ଖସିବେ ନାହିଁ । ଏହି କଲ୍ୟାଣକାରୀ ପ୍ରୟାସଗୁଡ଼ିକ ସାମାଜିକ ସେବା ଉପରେ ବର୍ଦ୍ଧିତ ଖର୍ଚ୍ଚରେ ପ୍ରତିଫଳିତ ହେଉଛି। ଆୟ ଅସମାନତା ହ୍ରାସ ପାଉଛି। ଆଞ୍ଚଳିକ ବୈଷମ୍ୟ ମଧ୍ୟ କମୁଛି। ଯେଉଁ ରାଜ୍ୟ ଏବଂ ଅଞ୍ଚଳଗୁଡ଼ିକ ପୂର୍ବରୁ ଦୁର୍ବଳ ଆର୍ଥିକ ପ୍ରଦର୍ଶନ ପାଇଁ ପରିଚିତ ଥିଲେ, ସେମାନେ ଏବେ ନିଜର ବାସ୍ତବିକ କ୍ଷମତା ପ୍ରଦର୍ଶନ କରୁଛନ୍ତି ଏବଂ ଅଗ୍ରଣୀ ରାଜ୍ୟଗୁଡ଼ିକ ସହିତ ସମକକ୍ଷ ହେବା ପାଇଁ ଆଗକୁ ବଢ଼ୁଛନ୍ତି।ଆମର ପ୍ରମୁଖ ବ୍ୟବସାୟୀ, ଲଘୁ ଓ ମଧ୍ୟମ ଉଦ୍ୟୋଗୀ ଏବଂ ବ୍ୟବସାୟୀମାନେ ସର୍ବଦା ସବୁକିଛି ସମ୍ଭବ କରି ଦେଖାଇବାର ମନୋଭାବ ପ୍ରଦର୍ଶନ କରିଛନ୍ତି। ସମୃଦ୍ଧି ସୃଷ୍ଟି କରିବା ରାସ୍ତାରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାର ଆବଶ୍ୟକତା ଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଭିତ୍ତିଭୂମି ବିକାଶରେ ଏହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଛି। ଆମେ ଭାରତମାଳା ପ୍ରକଳ୍ପ ଅଧୀନରେ ଜାତୀୟ ରାଜପଥ ନେଟୱର୍କକୁ ବିସ୍ତାର ଏବଂ ସୁଦୃଢ଼ କରିଛୁ। ରେଳବାଇ ମଧ୍ୟ ନବସୃଜନକୁ ପ୍ରୋତ୍ସାହିତ କରିଛି ଏବଂ ନୂତନତମ ପ୍ରଯୁକ୍ତିବିଦ୍ୟାରେ ପରିଚାଳିତ ନୂତନ ପ୍ରକାରର ଟ୍ରେନ ଏବଂ କୋଚ୍ ବ୍ୟବହାର କରିବା ଆରମ୍ଭ କରି ଦେଇଛି । କାଶ୍ମୀର ଘାଟୀରେ ରେଳ ସଂଯୋଗୀକରଣର ଶୁଭାରମ୍ଭ ଏକ ପ୍ରମୁଖ ସଫଳତା। ଭାରତର ଅନ୍ୟାନ୍ୟ ଅଞ୍ଚଳ ସହିତ ଘାଟୀର ରେଳ ସଂଯୋଗୀକରଣ ଏହି ଅଞ୍ଚଳରେ ବାଣିଜ୍ୟ ଓ ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ନୂତନ ଆର୍ଥିକ ସମ୍ଭାବନା ପାଇଁ ଦ୍ୱାର ଖୋଲିବ। କାଶ୍ମୀରରେ ଇଞ୍ଜିନିୟରିଂର ଏହି ଅସାଧାରଣ ସଫଳତା ଆମ ଦେଶ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ।ଦେଶରେ ଦ୍ରୁତ ଗତିରେ ସହରୀକରଣ ହେଉଛି। ତେଣୁ, ସରକାର ସହରଗୁଡ଼ିକର ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି। ସହରାଞ୍ଚଳ ପରିବହନର ପ୍ରମୁଖ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେଇ, ସରକାର ମେଟ୍ରୋ ରେଳ ସୁବିଧାକୁ ବିସ୍ତାର କରିଛନ୍ତି। ଗତ ଦଶନ୍ଧି ମଧ୍ୟରେ, ମେଟ୍ରୋ ରେଳ ସେବା ରହିଥିବା ସହର ସଂଖ୍ୟା ବହୁଗୁଣିତ ହୋଇଛି। ସହରଗୁଡ଼ିକର କାୟାକଳ୍ପ ଏବଂ ସହରାଞ୍ଚଳ ପରିବର୍ତ୍ତନ ପାଇଁ ଅଟଳ ମିଶନ, ଅର୍ଥାତ୍ ‘ଅମୃତ’, ଅଧିକରୁ ଅଧିକ ଘରେ ନିର୍ଭରଯୋଗ୍ୟ ଟ୍ୟାପ୍ ଜଳ ଯୋଗାଣ ଏବଂ ସ୍ୱେରେଜ୍ ସଂଯୋଗ ସୁବିଧା ସୁନିଶ୍ଚିତ କରିଛି।ନାଗରିକମାନଙ୍କର ଜୀବନର ମୌଳିକ ସୁବିଧା ପାଇବାର ଅଧିକାର ଅଛି ବୋଲି ସରକାର ବିଶ୍ୱାସ କରନ୍ତି । ‘ଜଳ ଜୀବନ ମିଶନ’ ଅଧୀନରେ, ଗ୍ରାମାଞ୍ଚଳର ଘରକୁ ନଳକୂପ ପାଣି ଯୋଗାଇବାରେ ପ୍ରଗତି ହେଉଛି।