ନିଟ୍ ପ୍ରବେଶିକା ରେ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ବିପଦର ବନ୍ଧୁ ଓ ଆରବିଏସ କନସଲଟାନସି

ଜଗନ୍ନାଥପ୍ରସାଦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି): ନିଟ୍ ପ୍ରବେଶିକାରେ ୧୫୭ ରାଙ୍କ୍ ରଖି କୃତୀ ଛାତ୍ରୀ ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ନିକଟ କାଳଞ୍ଜି ନୂଆପଲି ଗ୍ରାମର ଶିବାନୀ ବିଷୋୟୀଙ୍କୁ ତାଙ୍କ ନିଜ ବାସଭବନରେ ପହଞ୍ଚି ସମ୍ବର୍ଦ୍ଧିତ କରିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ଓ ଆରବିଏସ କନସଲଟାନସି ।
ପ୍ରକାଶ ଥାଉ କି ଗତ ନୀଟ୍ ପ୍ରବେଶିକାରେ ମେରିଟ୍ ୧୫୭ ରାଙ୍କ୍ ପାଇଥିବାରୁ ସେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତରୀ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ଶିବାନୀ ମଧ୍ୟବିତ୍ତ ପରିବାରର ଅଟନ୍ତି । ତାଙ୍କ ବାପା ଜଣେ ଚାଷୀ ଏବଂ ମାଆ ଜଣେ ଗୃହିଣୀ। ନିଜ ଚେଷ୍ଟାରେ ପିଲାଦିନରୁ ଶିବାନୀ କଠିନ ପରିଶ୍ରମ କରି ଆଜି ସଫଳତା ହାସଲ କରିଛନ୍ତି। ଝାଡଭୂମିର ଆରଆର ହାଇସ୍କୁଲରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରୁ +୨ରେ ଶେଷ କରି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଶିବାନୀଙ୍କ ଏହି ସଫଳତା ପାଇଁ ତାଙ୍କୁ ସାଙ୍ଗସାଥି, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି। ଶିବାନୀ ମଧ୍ୟ ନିଜ ସଫଳତା ର ଶ୍ରେୟ ମାତାପିତା, ଜେଜେ ବାପା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଗୁରୁଜନଙ୍କୁ ଦେଇଛନ୍ତି ।

ଆଜି ବିପଦର ବନ୍ଧୁ ସଂଗଠନ ଓ ଆରବିଏସ କନସଲଟାନସି ର ସଦସ୍ୟ ମାନେ ଶିବାନୀଙ୍କୁ ତାଙ୍କ ସଫଳତା ନିମନ୍ତେ ସମ୍ବର୍ଦ୍ଧିତ କରିଛନ୍ତି । ଜଣେ ମଧ୍ୟବିତ୍ତ ଶ୍ରେଣୀରୁ ଆସିଥିବା ଛାତ୍ରୀ ହୋଇ ମଧ୍ୟ ତାଙ୍କର ଅଦମ୍ୟ ଚେଷ୍ଟା ବଳରେ ସେ ସଫଳତା ପାଇ ଥିବାରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଏବଂ ନିଜ ମାଟିର ସୁନାମ ମଧ୍ୟ ଆଣିଛନ୍ତି । ଭବିଷ୍ୟତରେ ଉତ୍ତମ ଡାକ୍ତର ହୋଇ ଗରିବ ଓ ଅସହାୟ ରୋଗୀଙ୍କ ଚିକିତ୍ସା କରି ସେବା ଯୋଗାଇବାକୁ ସେ ସ୍ବପ୍ନ ଦେଖୁଥିବା କହିଛନ୍ତି ।