ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ଭାଇରାଲ; ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଙ୍କ ସୋସିଆଲ ମିଡିଆରେ ପୋଷ୍ଟ

ପୁରୀ (ବଳରାମ ତ୍ରିପାଠୀ): ଓଡ଼ିଶା ଗସ୍ତରେ ଆସି ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ଯାଇଥିଲେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ । ତାଙ୍କ ସହ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୁରୀ ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରତୀକ ସିଂ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ ସିକ୍କିମ ମୁଖ୍ୟମନ୍ତ୍ରୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାର ଫଟୋ ମଧ୍ୟ ଅପଲୋଡ଼ କରିଥିଲେ । ମୋଟ ଚାରି ଟି ଫଟୋ ମଧ୍ୟରୁ ଗୋଟିଏ ଶ୍ରୀମନ୍ଦିର ଭିତର ପାର୍ଶ୍ୱର ରହିଥିଲା। ତେବେ କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଗଲା ଏବଂ ସେହି ଫଟୋ କୁ ସିକ୍କିମ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଅପଲୋଡ଼ କରି ଭାଇରାଲ କରିଦେଲେ ତାହା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଠାଯାଇଥିବା ଫଟୋ ଟି ମହାଲକ୍ଷ୍ମୀ ମନ୍ଦିର ନିକଟର ବୋଲି ଜଣାପଡିଛି । ତେବେ ଏତେ ସବୁ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଥାଉ ଥାଉ କିପରି ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଗଲା ଏବଂ ଫଟୋ ମଧ୍ୟ ଉତ୍ତୋଳନ କରାଗଲା ତାହା ସାଧାରଣରେ ଚର୍ଚ୍ଚା ହେଉଛି । ପରବର୍ତ୍ତୀ ମୁହୂର୍ତ୍ତରେ ଶ୍ରୀ ତମାଙ୍ଗ ତାଙ୍କ ଫେସବୁକ୍ ହାଣ୍ଡେଲ ରୁ ଭିତର ବେଢ଼ା ଫଟୋ ଟି ଡିଲିଟ କରିଦେଇଛନ୍ତି । ସେତେବେଳକୁ ଫଟୋଟି ଚାରିଆଡ଼େ ଭାଇରାଲ ହୋଇସାରିଥିଲା ।