
ଯାଯପୁର: ବୈତରଣୀ ନଦୀରେ ଆସିଥିବା ବନ୍ୟା ଛାଡିଯାଇଛି ହେଲେ ବିପନ୍ନଙ୍କୁ ଦେଇଯାଇଛି ଅନେକ ଦୁଃଖ । କାହାର ଚାଷ ଯାଇଛି ତ କାହାର ବାସ । କାହାର ଜୀବନ ଯାଇଛି ତ କାହାର ଜୀବିକା । ଆମେ କହୁଛୁ ଯାଜପୁର ଦଶରଥପୁର ଅଞ୍ଚଳର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କଥା । ବନ୍ୟା ପରଠାରୁ ବିପନ୍ନମାନେ ଭୋକ ଉପାସରେ ପଡି ରହିଛନ୍ତି । ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବିପନ୍ନ ପରିବାର । ଏଭଳି ଦୁର୍ଦ୍ଦିନରେ ସହଯୋଗର ହାତ ବଢାଇଛନ୍ତି ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନ । ସେପଟେ ବନ୍ୟା ଛାଡିବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଘାଇ ମରାମତି କାର୍ଯ୍ୟ । ସେପଟେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ ।ଗତ ୨୫ ତାରିଖରେ ବୈତରଣୀ ନଦୀର ଶାଖା କାଣୀ ନଦୀରେ ଆସିଥିବା ବନ୍ୟା ଛାଡି ଯାଇଛି ସତ କିନ୍ତୁ ବିପନ୍ନଙ୍କ ପାଇଁ ଦୁଃଖ ମାଡି ଆସିଛି । ବନ୍ୟା ଯୋଗୁଁ ଅନେକ ଗୃହପାଳିତ ପଶୁମାନେ ଭାସି ଯାଇଥିବା ବେଳେ ଅନେକ ଲୋକଙ୍କ ଘର ଭୁଷୁଡ଼ି ପଡିଛି । ଦୀର୍ଘ ପାଞ୍ଚଦିନ ପରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଦ୍ଧାର ଆସିଛି, ହେଲେ ବଢ଼ିଯାଇଛି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା । ଅନେକ ଘର ଭାଙ୍ଗି ଯାଇଛି। ଘରର ଜିନିଷପତ୍ର ଟଙ୍କା ସୁନା ଆଦି ସବୁକିଛି ବନ୍ୟାରେ ଭାସିଯାଇଛି । ଫଳରେ ବାସହୀନ ହୋଇପଡିଛନ୍ତି ବହୁ ପରିବାର । ବନ୍ୟା ଯୋଗୁଁ ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ରହିଛି । ଫଳରେ ବର୍ଷକ ଯାକର ଫସଲ ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସେପଟେ ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନମାନେ ବିପନ୍ନ ପରିବାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ତେବେ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ବିପନ୍ନ ପରିବାର ନିବେଦନ କରିଛନ୍ତି ।ବନ୍ୟା ପରବର୍ତ୍ତୀ ସ୍ଥିତି ଅତି ଭୟଙ୍କର ରହିଛି । ହେକ୍ଟର ହେକ୍ଟର ଚାଷ ଜମି ଏବେ ନଷ୍ଟ ହେବାକୁ ବସିଛି । କେଉଁଠି ଧାନ ଓ ପନିପରିବା ଗଛ ପଚି ଗଲାଣି ତ କେଉଁଠି ନଈ ବାଲି ମାଡିଗଲାଣି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡ ରେ ହାତ ଦେଇ ବସିଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଛି । ଏବେ ସେପଟେ ବନ୍ୟା ଛାଡ଼ିବା ପରେ ସ୍ଥାନୀୟ ଜଳସମ୍ପଦ ବିଭାଗ ତତ୍ପର ହୋଇଛି । ଭାଙ୍ଗିଥିବା ନଦୀବନ୍ଧର ମରାମତି କାର୍ଯ୍ୟ ଆରମ୍ଭ କରିଛି । ବିଧିବଦ୍ଧ ଭାବେ ଅସ୍ଥାୟୀ ଭାବରେ ବାଲି ବସ୍ତା ଦ୍ୱାରା ବନ୍ଧ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଶୀଘ୍ର ବନ୍ଧ ମରାମତି କାମ ସମ୍ପୂର୍ଣ ହୋଇଯିବ ବୋଲି କହିଛନ୍ତି ଦଶରଥପୁର ବିଡିଓ । ଯାଜପୁର ସାଂସଦ ଘାଇ ମୁହଁ ଅଞ୍ଚଳ ପରିଦର୍ଶନ କରି ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି । ତୁରନ୍ତ କ୍ଷୟକ୍ଷତିର ଅନୁଧ୍ୟାନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଦଶରଥପୁର ଅଞ୍ଚଳରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ସମ୍ପର୍କରେ ସ୍ବତନ୍ତ୍ର ଅନୁଧ୍ୟାନ କରିବା ସହିତ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।