ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

ଭୁବନେଶ୍ବର: ଆଜି ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ସେ କେଉଁଥି ପାଇଁ ଯାଉଛନ୍ତି ତାହା ଜଣା ନ ଥିଲେ ମଧ୍ୟ ଓଡିଶା ରାଜନୈତିକ ମହଲରେ ବେଶ ହଲଚଲ ସୃଷ୍ଟି ହୋଇଛି। କାରଣ ହେଲା ଆଉ ଦିନକ ପରେ ହେଉଛି ଉପରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ବିଜେଡିର ଭୂମିକା କଣ ହେବ ସେ ନେଇ କୌଣସି ଘୋଷଣା ହୋଇ ନ ଥିବା ବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ସନ୍ଦେହ ଘେରକୁ ଆଣିଛି।ଗତକାଲି ନବୀନ ତାଙ୍କ ବାସଭବନରେ ଦଳର ରାଜନୈତିକ ବ୍ୟାପାର କମିଟ ବୈଠକ କରିଥିଲେ। ସେଥିରେ ସେ କଣ ଆଲୋଚନା କରିଛନ୍ତି ତାହା ମଧ୍ୟ ବାହାରକୁ ଆସି ନାହିଁ। ଗତକାଲି ବୈଠକ ଶେଷ କରି ଆଜି ଦିଲ୍ଲୀ ଯିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେଣୁ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ଦିଲ୍ଲୀ ଯିବା ନେଇ ନବୀନଙ୍କ ଉଦ୍ଦେଶ୍ୟ କଣ ବିଜେଡି ରାଜନୈତିକ ବୈଠକରେ ସୂଚନା ଦେଇଛନ୍ତି କି।ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ଅଡୁଆରେ ପଡିଯାଇଛି। ବିଜେଡି କ୍ଷମତାରେ ଥିବା ବେଳେ ଓଡିଶାର ବୃହତର ସ୍ବାର୍ଥ ଦୃଷ୍ଟିରୁ ଏନଡିଏକୁ ସମର୍ଥନ କଲୁ ବୋଲି କହୁଥିଲେ। ହେଲେ ବର୍ତ୍ତମାନ କ୍ଷମତା ନାହିଁ, ତେଣୁ ଏନଡିଏକୁ ସମର୍ଥନ କରିବା ତଳସ୍ତରରେ ଅସନ୍ତୋଷ ସୃଷ୍ଟି ହେଉଛି। ନିକଟରେ ୱାକଫ ବିଲ ନେଇ ବିଜେଡି ସାରା ରାଜ୍ୟରେ ଅପମାନିତ ହୋଇଯାଇଛି। ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଯଦି ବିଜେଡି ଏନଡିଏକୁ ସମର୍ଥନ କରେ ତେବେ ବିଜେଡିରେ ବଡ ବିଦ୍ରୋହ ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ।ବିଜେଡିର ବିଭିନ୍ନ ସମୟରେ ବସିଥିବା ବୈଠକରେ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରାଯିବ ବୋଲି ନିଷ୍ପତି ହୋଇଛି। ଏପରିକି ଗତକାଲି ରାଜନୈତିକ ବ୍ୟାପାର କମିଟ ବୈଠକରେ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରାଯିବ ବୋଲି ପ୍ରସ୍ତାବ ଆସିଛି। ହେଲେ ପରବର୍ତ୍ତି ସମୟରେ ଏହା କାର୍ଯ୍ୟକାରୀ ହେବ କି ନାହିଁ ତାହାକୁ ନେଇ ନେତାମାନଙ୍କ ସନ୍ଦେହ ରହିଛି