
ଭଞ୍ଜନଗର ୦୭/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ରବିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ଲିଖିତ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ୧୦ ଟା ରୁ ୧୨ ଟା ମଧ୍ୟରେ ପରୀକ୍ଷା ହେଉଛି। ଏହା ପୁର୍ବରୁ ଆବେଦନକାରୀମାନଙ୍କୁ କଡ଼ାକଡି ଭାବେ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ରକୁ ଛଡାଯାଉଛି। ଗଞ୍ଜାମ ପୋଲିସ ଜିଲାର ସମସ୍ତ ଥାନା ଅଞ୍ଚଳରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏମବିଏ, ବି ଟେକ ଡିଗ୍ରୀ ଧାରୀ ଆବେଦନକାରୀ ପରୀକ୍ଷା ଦେଉଛନ୍ତି।
ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି। ଗଞ୍ଜାମ ପୋଲିସ ଜିଲାରେ ୧୩୫ ଟି ପଦବୀ ପାଇଁ ୭୫୦୦ ରୁ ଉର୍ଦ୍ଧ ଆବେଦନ କରିଛନ୍ତି। ଆଜି ପରୀକ୍ଷା ସରିବା ପରେ ୯ ତାରିଖରେ ଲିଖିତ ପରୀକ୍ଷାର ଫଳ ପ୍ରକାଶିତ ହେବ। ଚଳିତ ମାସ ଶେଷ ସୁଦ୍ଧା ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଆରମ୍ଭ ହୋଇଛି। ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ପରୀକ୍ଷା ଚାଲିଛି। ସେହିଭଳି ଭଞ୍ଜନଗର ଏସଡିପିଓ ଡ ଦୀପକ ମିଶ୍ର, ଭଞ୍ଜନଗର
ଏଏସପି ରଞ୍ଜନ କୁମାର ଦେଓ ମଧ୍ୟ ନିଜ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ର ବୁଲି ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିଥିଲେ। ୧୩୫ ଟି ପଦବୀ ମଧ୍ୟରୁ ୧୦୧ ପୁରୁଷ ଏବଂ ୩୪ ଜଣ ମହିଳା ଗୃହରକ୍ଷୀ ଚୟନ ହେବେ। ସେଥିମଧ୍ୟରୁ ସାମୁଦ୍ରିକ ଥାନା ପାଇଁ ୧୫ ଜଣ, ସାଧାରଣ ଡ୍ୟୁଟି ୫୫ ଜଣ, କମ୍ପ୍ୟୁଟର ୪୦, ଡ୍ରାଇଭର ୧୦, ରୋଷେୟା ୬, ବୈଦ୍ୟୁତିକ ମିସ୍ତ୍ରୀ ୨, ମେସ ସହାୟକ ୨ ଓ ଧୋବୀ, ବାରିକ, ଦରଜୀ, ପାଣି ପାଇପ ମିସ୍ତ୍ରୀ, ମୋଚି ପଦବୀ ପାଇଁ ଜଣେ ଲେଖାଁଏ ନିଯୁକ୍ତି ହେବେ।