
ଝାରସୁଗୁଡା: ଜିଲ୍ଲାର ରିଜର୍ଭ ପୋଲିସ୍ ଗ୍ରାଉଣ୍ଡରେ ରବିବାର ଦିନ ଅଭ୍ୟାସ କରୁଥିବା ସମୟରେ ଜଣେ ନେପାଳୀ ଯୁବକଙ୍କ ମୃତ୍ୟୁ ଘଟିଛି । ଆସନ୍ତା ସପ୍ତାହରେ ହେବାକୁଥିବା ଓଡିଶା ସ୍ପେଶାଲ୍ ଆର୍ମ ପୋଲିସ୍ (OSAP) ନିଯୁକ୍ତି ପରୀକ୍ଷା ପାଇଁ ସେ ପ୍ରସ୍ତୁତି କରୁଥିଲେ । ମୃତକ ଯୁବକ ନେପାଳର ଗୋବିନ୍ଦ କୁମାର ବୋଲି ଚିହ୍ନଟ କରାଯାଇଛି । ସେ OSAP ଦ୍ୱିତୀୟ ବାଟାଲିୟନ୍ର ଆସନ୍ତା 17 ତାରିଖରେ ହେବାକୁଥିବା ଶାରୀରିକ ପରୀକ୍ଷା ପାଇଁ ଅଭ୍ୟାସରେ ବ୍ୟସ୍ତ ଥିଲେ ।ଖବର ଅନୁସାରେ, ଗୋବିନ୍ଦ ନିଯୁକ୍ତି ପାଇଁ ଝାରସୁଗୁଡା ଆସିଥିବା କୁହାଯାଉଛି । ତେବେ ଝାରସୁଗୁଡ଼ା OSAP 2ୟ ବାଟାଲିୟନରେ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି । ମୃତ ନେପାଳୀ ଯୁବକ ହେଲେ ଗୋବିନ୍ଦ କୁମାର । ସିଏ ନେପାଳର ବାଗଲୁଙ୍ଗ ଜିଲ୍ଲା, ବାଡିଗାଡ଼ ଗ୍ରାମ ପଞ୍ଚାୟତ, ୱାର୍ଡ–2 ର ଦୁର୍ଗା ବହାଦୁର କୁମାରଙ୍କ ପୁତ୍ର । ଆସନ୍ତା 17 ତାରିଖରେ ନିଯୁକ୍ତି ରାଲିରେ ଯୋଗ ଦେବା ପୂର୍ବରୁ ଆଜି ରିଜର୍ଭ ପୋଲିସ ପଡିଆରେ ଅଭ୍ୟାସ କରୁଥିବା ବେଳେ ହୃଦଘାତ ହେବାରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଆଜି ଗୋବିନ୍ଦ ଟ୍ରେନିଂ ସମୟରେ ହଠାତ୍ ତଳେ ପଡ଼ି ଯାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ତାଙ୍କୁ ନିକଟସ୍ଥ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ତେବେ ଆସନ୍ତାକାଲି ମୃତ ଯୁବକଙ୍କ ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।ତେବେ ଗତ ଫେବୃଆରୀ ମାସରେ ଭୁବନେଶ୍ୱରର ଏକ ଘରୋଇ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଜୀବନ ହାରିଥିଲେ ନେପାଳ ଛାତ୍ରୀ । ଏହାକୁ ନେଇ ନେପାଳରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ହଷ୍ଟେଲ ଭିତରୁ ମିଳିଥିଲା ଛାତ୍ରୀଙ୍କ ମୃତଦେହ । ଆତ୍ମହତ୍ୟା ଜନିତ ମୃତ୍ୟୁ ପାଇଁ ଜଣେ ଛାତ୍ର ତାଙ୍କୁ ଉସକାଇଥିବା ଅଭିଯୋଗ ହୋଇଥିଲା ।