ସ୍କୁଲ ଫେରିବେ ଡ୍ରପ ଆଉଟ ପିଲା, ଓଡ଼ିଶା ସରକାରଙ୍କ ‘ଆସ ସ୍କୁଲ ଯିବା’ ଅଭିଯାନ

ସମ୍ବଲପୁର: ଶିକ୍ଷାରେ କେହି ପଛରେ ପଡ଼ିବେ ନାହିଁ । ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହେବେ ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ତଥା ବିଦ୍ୟାଳୟ ବାହାରେ ଥିବା ପିଲା । ଏଥିପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ଆସ ସ୍କୁଲ ଯିବା’ ଅଭିଯାନ । ସମ୍ବଲପୁରରେ ଆୟୋଜିତ ରାଜ୍ୟବ୍ୟାପୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।Asa School Jiba Campaign (@dpradhanbjp)’ଆସ ସ୍କୁଲ ଯିବା’ ଅଭିଯାନ:କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଦେଶକୁ ବିକଶିତ କରିବା ପାଇଁ ବଡ଼ ଜନ ଆନ୍ଦୋଳନ ଆରମ୍ଭ ହୋଇଛି । ଓଡ଼ିଶାକୁ ମଧ୍ୟ ବିକଶିତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଶିକ୍ଷାପ୍ରାପ୍ତ ପିଲାମାନେ ଏହାର ମୂଳ ବାହାକ ବା ସୈନିକ ହେବେ । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଡ୍ରପ୍‌ ଆଉଟ ସଂଖ୍ୟା କମ୍‌ । ତଥାପି ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସ୍କୁଲକୁ ଯିବା ବୟସର ସବୁ ପିଲା ସ୍କୁଲ ଯିବେ, ପାଠ ପଢ଼ିବେ, ଦକ୍ଷତା ହାସଲ କରିବେ । ତେବେ ଯାଇକି ସେମାନେ ଅର୍ଥନୀତିରେ ସଠିକ ଯୋଗଦାନ ଦେବେ । ସମ୍ବଲପୁର ଜିଲ୍ଲାରେ ପାଖାପାଖି 3 ହଜାର ପିଲା ସ୍କୁଲ ବାହାରେ ଅଛନ୍ତି । ସେମାନଙ୍କୁ ଶିକ୍ଷା କିମ୍ବା ଦକ୍ଷତା ସହ ଯୋଡିବା ପାଇଁ ‘ଆସ ସ୍କୁଲ ଯିବା’ ଅଭିଯାନ ଆରମ୍ଭ କରାଯାଇଛି ।

ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ:ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ହେଉଛି, ଦେଶର ପ୍ରତ୍ୟେକ ପିଲାଙ୍କୁ ସ୍କୁଲକୁ ଆଣିବା ଏବଂ ସେମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା । ଡ୍ରପ୍ ଆଉଟ ହ୍ରାସ କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ସାକ୍ଷରତା ହାର ବୃଦ୍ଧି କରିବା ଦିଗରେ ମଧ୍ୟ ଆମ ସରକାର ଯତ୍ନଶୀଳ । ଶିକ୍ଷା ମନ୍ତ୍ରଣାଳୟର ଉଲ୍ଲାସ-ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ-୨୦୨୫ ଅଧୀନରେ ୧୫ ବର୍ଷ ବୟସରୁ ଅଧିକ ନିରକ୍ଷର ଥିବା ଲୋକଙ୍କୁ ସାକ୍ଷର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।”ଜାତୀୟ ଶିକ୍ଷା ନୀତି (NEP 2020) ଅନୁଯାୟୀ, ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ, ଏହି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସମ୍ବଲପୁର ରିଜର୍ଭ ପୋଲିସ ପଡିଆରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ “ଆସ ସ୍କୁଲ ଯିବା” ଶୋଭାଯାତ୍ରାରେ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ l ଏହି ରାଲି ରିଜର୍ଭ ପୋଲିସ ପଡ଼ିଆରୁ ଆରମ୍ଭ ହୋଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଶେଷ ହୋଇଥିଲା ।

ସେପଟେ କସ୍ତୁରବା ଗାନ୍ଧୀ ଆଶ୍ରମ ସ୍କୁଲରେ ରହି ପାଠ ପଢ଼ୁଥିବା ସମ୍ବଲପୁର ଜିଲ୍ଲାର ବାମରା ବ୍ଲକର ଉଚ୍ଚକାପଟା ଗାଁର ଲିଜା ମାଝୀ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ସମ୍ମାନିତ କରିଛନ୍ତି ।

ସମୃଦ୍ଧ ଗାଁ, ସମୃଦ୍ଧ ସମ୍ବଲପୁର ବୈଠକ:ସେହିପରି ସମ୍ବଲପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରଙ୍କ ସହ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମୃଦ୍ଧ ଗାଁ, ସମୃଦ୍ଧ ସମ୍ବଲପୁର ଦିଗରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିଛନ୍ତି । ମୁଖ୍ୟତଃ କୃଷି, ପଶୁପାଳନ, ଗୋପାଳନ, ଦୁଗ୍ଧ ଉତ୍ପାଦନ, ପୋଖରୀ ଖନନ, ସହର ବିକାଶ ସହ ସ୍କୁଲ ଭିତ୍ତିଭୂମି, ଲାଇବ୍ରେରୀ ଓ ଖେଳ ପଡିଆ ନିର୍ମାଣ ଆଦି ଦିଗରେ ଆଲୋଚନା କରିଛନ୍ତି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି । ସେଗୁଡିକ ହିତାଧିକାରୀଙ୍କ ପାଖକୁ ପହଞ୍ଚିବାକୁ ହେଲେ ବିଭିନ୍ନ ବିଭାଗମାନଙ୍କ ମଧ୍ୟରେ ସମନ୍ବୟତା ରଖିବାର ଆବଶ୍ୟକତା ରହିଛି । ସମ୍ବଲପୁର ଜିଲ୍ଲା ପରିପ୍ରେକ୍ଷୀରେ ଦେଖିଲେ ଏସଏଚଜି ମହିଳା ଗୋଷ୍ଠୀମାନଙ୍କ ଜରିଆରେ ଅନେକ ଗୁଡିଏ କାର୍ଯ୍ୟ ଜାରି ରହିଛି । ଏଠାରେ ପର୍ଯ୍ୟଟନ, ଜଙ୍ଗଲ ଜାତୀୟ ଦ୍ରବ୍ୟ ଅର୍ଥନୈତିକ କାରବାରର ସୁଯୋଗ ରହିଛି । ଶିଳ୍ପାୟନ ଓ ଏମଏସଏମଇ କାର୍ଯ୍ୟ ମଧ୍ୟ ଚାଲିଛି । ତେଣୁ ଆଗାମୀ ଦିନରେ ଏହି ସବୁ ଦିଗ ଉପରେ ବିକାଶ ହେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।