
ଭୁବନେଶ୍ବର: ‘ଲା-ନିନା’ ପ୍ରଭାବରେ ପୁଣି ଓଡ଼ିଶାକୁ ବାତ୍ୟା ଭୟ ! ଅକ୍ଟୋବର ଆସିଲେ ଓଡ଼ିଶାକୁ ଘାରେ ବାତ୍ୟା ଭୟ । ଆଉ ଏହି ଭୟ ଭିତରେ ବିଶ୍ବ ପାଣିପାଗ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ରିପୋର୍ଟକୁ ନେଇ ଚର୍ଚ୍ଚା ବଢିଛି । ଯେଉଁଥିରେ ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦେଶରେ ଲାନିନା ସକ୍ରିୟ ହେବା ନେଇ ସୂଚନା ଦେଇଛି ‘ବିଶ୍ୱ ପାଣିପାଗ ସଂସ୍ଥା’ । ନେଗେଟିଭ୍ ଆଇଓଡି ଓ ଲା-ନିନା ସକ୍ରିୟ ହେବା ଦ୍ୱାରା ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାକୁ ବଳ ଯୋଗାଇଥାଏ । ଯେଉଁଥିପାଇଁ ଅକ୍ଟୋବରରେ ରାଜ୍ୟକୁ ବାତ୍ୟା ଆସିବା ନେଇ ଆଶଙ୍କା ବୃଦ୍ଧି ପାଇଛି ।୧୭ ତାରିଖ ଯାଏଁ ପ୍ରବଳ ବର୍ଷା :ବର୍ତ୍ତମାନ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଆଗାମୀ ୨ ଦିନ ଭିତରେ ଦକ୍ଷିଣ ଓଡ଼ିଶା ଓ ତତସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଛତିଶଗଡ଼ ଦେଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ୧୭ ତାରିଖ ଯାଏଁ ବର୍ଷା ଲାଗି ରହିବ ସହ ଆସନ୍ତା ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।Today Rain Alert:ଆଜି ସାରା ଓଡ଼ିଶାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭାଗ । ସାରା ରାଜ୍ୟକୁ ବଜ୍ରପାତ ସହ ଝଟକା ପବନ 30-40 କିମି ବେଗରେ ବହିବାର ସମ୍ଭାବନା ରହିଛି ।ଲା-ନିନା ପ୍ରଭାବରେ ଆସିଛି ଏକାଧିକ ବଡ଼ ବାତ୍ୟା:ଏଠାରେ ସୂଚନା ଥାଉ କି, ୧୯୯୯ ମସିହାର ପ୍ରଳୟଙ୍କରୀ ମହାବାତ୍ୟା ହେଉ ଅବା ୨୦୧୩ରେ ବାତ୍ୟା ଫାଇଲିନ । ଲା-ନିନା ପ୍ରଭାବରେ ଏକାଧିକ ବଡ଼ ବାତ୍ୟାକୁ ଅକ୍ଟୋବର ମାସରେ ସମ୍ମୁଖୀନ କରିଛି ଓଡ଼ିଶା । ଯେଉଁଥିପାଇଁ ଅକ୍ଟୋବର ମାସ ଆସିଲେ ଓଡିଶାବାସୀଙ୍କ ମନରେ ଛନକା ପଶେ । ଦେଶରେ ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆସନ୍ତା ଅକ୍ଟୋବରରୁ ଡ଼ିସେମ୍ବର ମଧ୍ୟରେ ନେଗେଟିଭ୍ ଆଇଓଡି ଓ ଲା-ନିନା ସକ୍ରିୟ ହେବା ନେଇ ସୂଚନା ଦେଇଛି ବିଶ୍ୱ ପାଣିପାଗ ସଂସ୍ଥା । ଯାହାକି ବାତ୍ୟା ସୃଷ୍ଟି ପାଇଁ ପରିବେଶକୁ ଅନୁକୂଳ କରିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।ବିଶେଷ କରି ଲା-ନିନା ସକ୍ରିୟତା ସହ ସାମୁଦ୍ରିକ ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ଏହା ମଧ୍ୟ ବାତ୍ୟା ସୃଷ୍ଟି ସାଙ୍ଗକୁ ବାତ୍ୟାକୁ ଅଧିକ ଘନୀଭୂତ କରାଇଥାଏ । ଚଳିତ ବର୍ଷ ଏହି ସବୁ ସ୍ଥିତି ଅନୁକୂଳ ରହୁଥିବାରୁ ଅକ୍ଟୋବରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଦୃଢ଼ୀଭୂତ କରିଛି । ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଉଚ୍ଚ ଆର୍ଦ୍ରତା, ବାୟୁପ୍ରବାହ ତାରତମ୍ୟ ଓ ଉଚ୍ଚ ସମୁଦ୍ରପୃଷ୍ଠ ତାପମାତ୍ରା ଆଦି ଯୋଗୁଁ ବାତ୍ୟାଗୁଡ଼ିକ ଶକ୍ତିଶାଳୀ ହୋଇଥାଏ । ଏହା ସହିତ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ ।ଏପରି କହିଲେ ପାଣିପାଗ ବିଶେଷଜ୍ଞ:ପାଣିପାଗ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଭାରତର ପୂର୍ବ ଉପକୂଳ ଓ ବିଶେଷ କରି ଆନ୍ଧ୍ର ଏବଂ ପଶ୍ଚିମବଙ୍ଗ ଅଞ୍ଚଳ ଅଧିକା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି । ଯାହା ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛି । କିନ୍ତୁ କେବଳ ଲା-ନିନା ପ୍ରଭାବରେ ଓଡ଼ିଶାରେ ବାତ୍ୟା ହେବା ନେଇ ଏବେ ଠାରୁ ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ । କାରଣ “ଅନେକ ବାର ଲା-ନିନା ପ୍ରଭାବ ଥିଲେ ମଧ୍ୟ ବାତ୍ୟା ପାଇଁ ଆବଶ୍ୟକୀୟ କାରଗୁଡିକ ଅନୁକୂଳ ନହେବାରୁ ଓଡ଼ିଶାରେ ବାତ୍ୟା ହୋଇନଥିବା ଦେଖଯାଇଛି” ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ।କ’ଣ ଏହି ଲା-ନିନା ପରିସ୍ଥିତି ?ସାଧାରଣତଃ ଜଳବାୟୁ ପ୍ରକ୍ରିୟା ଲା-ନିନା ପରିସ୍ଥିତି ସଂଘଠିତ ହେଲେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାକୁ ବଳ ଯୋଗାଇଥାଏ ଓ ଏହାର ତୀବ୍ରତାକୁ ବୃଦ୍ଧିରେ ସହାୟକ ହୋଇଥାଏ । ଜଳବାୟୁ ପ୍ରକ୍ରିୟା ଲା-ନିନା ପ୍ରଭାବରେ ସାମୁଦ୍ରିକ ପୃଷ୍ଠ ତାପମାତ୍ରାର ଉପସ୍ଥିତି ହେତୁ ପଶ୍ଚିମ ପ୍ରଶାନ୍ତ ମହାସାଗର ତଥା ଚାଇନା ସାଗର ଅଞ୍ଚଳରେ ସୃଷ୍ଟି ହେଉଥିବା ବାତ୍ୟାଗୁଡିକର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରିଥାଏ । ଏହା ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । ବିଶେଷ କରି ପ୍ରଶାନ୍ତ ମହାସାଗର ଅଞ୍ଚଳରୁ ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ କରୁଥିବା ଅବଶିଷ୍ଟାଂଶ ଗୁଡ଼ିକ ମୁଖ୍ୟତଃ ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିଥାଏ ।