କ୍ରୀଡା କ୍ଷେତ୍ରରେ ‘ସୁସ୍ଥ ଯୁବଶକ୍ତି, ସୁସ୍ଥ ଓଡିଶା’ ମୂଳମନ୍ତ୍ରରେ ଆମେ ବିଶ୍ୱାସ କରୁ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରେ ଆୟୋଜିତ ୭୮ତମ ରାଜ୍ୟ ପୋଲିସ ପୁରୁଷ କବାଡି ଚାମ୍ପିୟନସିପ୍ ଓ ଦଶମ ପୋଲିସ ହ୍ୟାଣ୍ଡବଲ ଚାମ୍ପିୟନସିପର ଉଦ୍‌ଯାପନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ । “ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଗେମରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ କରି କେବଳ ଓଡ଼ିଶା ପାଇଁ ଗୌରବ ନୁହେଁ ବରଂ ଭାରତର ପଦକ ତାଲିକାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।କବାଡି ଚାମ୍ପିୟନସିପରେ ରାଉରକେଲାର ପୋଲିସ ଚତୁର୍ଥ ବାଟାଲିୟନକୁ ହରାଇ କଟକ ପୋଲିସ ଷଷ୍ଠ ବାଟାଲିୟନ ବିଜୟୀ ହୋଇଥବା ବେଳେ ଓ ହ୍ୟାଣ୍ଡବଲ ଚାମ୍ପିୟନସିପରେ ଢେଙ୍କାନାଳ ଜିଲ୍ଲା କେନ୍ଦୁଝର ଜିଲ୍ଲାକୁ ହରାଇ ବିଜୟୀ ହୋଇଥିଲା। ବିଜୟୀ ଓ ରନର୍ସ ଅପ ଦଳକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।

‘ସୁସ୍ଥ ଯୁବଶକ୍ତି, ସୁସ୍ଥ ଓଡିଶା ମୂଳମନ୍ତ୍ର’ରେ ଆମେ ବିଶ୍ୱାସ କରୁ:କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ,” ରାଜ୍ୟ ପୋଲିସ ବଳରେ ଏହିପରି କ୍ରୀଡା ପ୍ରତିଯୋଗିତା ସୁସ୍ଥ, ଶୃଙ୍ଖଳିତ ଓ ପ୍ରେରଣାଦାୟକ ପରିବେଶ ଗଠନ କରୁଛି। ଆଜିର ଏହି ପ୍ରତିଯୋଗୀତାରେ ଯେଉଁ କ୍ରୀଡା ପ୍ରତିଭାମାନେ ଖେଳୁଛନ୍ତି, ସେମାନେ କାଲି ଜାତୀୟ ଦଳର ସଦସ୍ୟ, ଏସିଆନ୍‌ ଗେମ୍ସର ପଦକ ବିଜେତା, କିମ୍ବା ଅଲିମ୍ପିକ୍ସ ଚାମ୍ପିୟନ ହେବେ। ପୋଲିସ ସେବାରୁ ଆସିଥିବା ପ୍ରେରଣାଦାୟକ ନାମଗୁଡ଼ିକ ସେଥିପାଇଁ ପଥପ୍ରଦର୍ଶକ। ଆମେ ଭାରତୀୟ କ୍ରୀଡାକୁ ଯଦି ଆଜି ବିଶ୍ୱସ୍ତରରେ ଗର୍ବର ସହିତ ଦେଖୁଛୁ, ତାହାର ପଛରେ ରହିଛି ପୋଲିସ, ସେନା ଓ ପାରାମିଲିଟାରି ବଳର ଅସାଧାରଣ ଅବଦାନ। ଏଣୁ “ସୁସ୍ଥ ଯୁବଶକ୍ତି, ସୁସ୍ଥ ଓଡିଶା” ମୂଳମନ୍ତ୍ରରେ ଆମେ ବିଶ୍ୱାସ କରୁ। “

ପୋଲିସବଳ ରାଜ୍ୟର ମେରୁଦଣ୍ଡ ସଦୃଶ’ପୋଲିସବଳ ହେଉଛନ୍ତି ଯେ କୌଣସି ରାଜ୍ୟର ମେରୁଦଣ୍ଡ ସଦୃଶ। ପୋଲିସବଳକୁ ସୁଦୃଢ କରିବା ପାଇଁ ରାଜ୍ୟରେ ସମୁଦାୟ ୧୬ ହଜାର ନୂଆ ପଦବୀ ସୃଷ୍ଟି କରାଯାଇଥିବା ବେଳେ ୧୬ ହଜାର ଖାଲି ପଦବୀ ପୂରଣ କରାଯିବ। ଖାଲି ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗାମୀ କିଛି ବର୍ଷ ମଧ୍ୟରେ ରାଜ୍ୟ ପୋଲିସର କର୍ମଚାରୀ ଓ ଅଧିକାରୀ ସଂଖ୍ୟା ୩୨ ହଜାର ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥି ସହିତ ପୋଲିସ ଆଧୁନିକରଣ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଭିଜନ ‘Smart Policing’ ଉପରେ ଗୁରୁତ୍ୱ ଦେଇ ସ୍ମାର୍ଟ ଗଠନର ଉଦ୍ଦେଶ୍ୟକୁ ପୂରଣ କରିବା ନିମନ୍ତେ ଆମ ସରକାର ବଦ୍ଧପରିକର ବୋଲି କହିଥିଲେ ସିଏମ ମୋହନ ମାଝୀ ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ” କବାଡି ଏକ ଏହିପରି ଖେଳ, ଯାହା ଆମକୁ ସାହସ, ସ୍ଵନିୟନ୍ତ୍ରଣ ଓ ତୀବ୍ର ସିଦ୍ଧାନ୍ତ ନେବାର କ୍ଷମତା ଶିଖାଇଥାଏ। ଏହି ଖେଳ ଆମକୁ ଶିଖାଇଥାଏ ଯେ, ସାହସ ସହିତ ପଦକ୍ଷେପ ନିଆଗଲେ, ସଫଳତା ନିଶ୍ଚିତ। ହ୍ୟାଣ୍ଡବଲ ଖେଳରେ ହେଉଥିବା ପ୍ରତ୍ୟେକ ପାସ୍, ପ୍ରତ୍ୟେକ ଲକ୍ଷ୍ୟ ଏବଂ ପ୍ରତ୍ୟେକ ପ୍ରତିରକ୍ଷା କୌଶଳ କେବଳ ସେହି କୋର୍ଟରେ ଆବଦ୍ଧ ନୁହେଁ ବରଂ ସମସ୍ତଙ୍କ ବ୍ୟକ୍ତିଗତ ଜୀବନରେ – ସ୍ଥିରତା, ଶୃଙ୍ଖଳା ଏବଂ ପରସ୍ପର ପ୍ରତି ସମ୍ମାନ ଭାବ ମଧ୍ୟ ବିକଶିତ କରିଥାଏ ।””ନୂଆ ସରକାର ଆସିବା ପରେ ରାଜ୍ୟରେ ଆମେ କ୍ରୀଡ଼ାକୁ ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ପାଇଁ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରୁଛୁ । ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ନିମନ୍ତେ ଆଗାମୀ ୫ ବର୍ଷରେ ୩୧୪ ଟି ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୫-୨୬ ରେ ବ୍ଳକସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟସ ହବ୍ ଭାବେ ବିକାଶ କରାଯିବ । “ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାୟକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୋଲିସ ଡ଼ି.ଜି. ଯୋଗେଶ ବହାଦୁର ଖୁରାନିଆ, ଏସ.ଟି.ଏ କମିଶନର ଅମିତାଭ ଠାକୁର, ଡ଼ି.ଆଇ.ଜି ବ୍ରିଜେଶ ରାୟ ଓ ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।