
ଯାଜପୁର / ଜଗତସିଂହପୁର : ଆଜି ମୂଳାଷ୍ଟମୀ । ଆଜି ସନ୍ଧ୍ୟାରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହେବ ଷୋଡ଼ଶ ଉପଚାର ପୂଜା । ସନ୍ଧ୍ୟାରେ ମା’ଙ୍କ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ବ୍ରହ୍ମାକୁଣ୍ଡରୁ ଜଳ ଅଣାଯାଇ କଳସ ପ୍ରତିଷ୍ଠା କରାଯିବ । ଆସନ୍ତା ପ୍ରତିପଦ ଠାରୁ ଆରମ୍ଭ ହେବ ନବ ଦିନାତ୍ମକ ରଥଯାତ୍ରା । ଏଥି ପାଇଁ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ପ୍ରତିପଦ ଠାରୁ ପ୍ରତି ଦିନ ମା’ ବିରଜାଙ୍କ ଚଳନ୍ତି ପ୍ରତିମା ରଥାରୂଢ଼ ହୋଇ ବେଢ଼ା ପରିକ୍ରମା କରିବେ । ଅନ୍ୟପଟେ ପିତୃପକ୍ଷରେ ମନ୍ଦିର ପରିସରରେ ଚାଲିଛି ପିତୃପୁରୁଷଙ୍କୁ ପିଣ୍ଡଦାନ । ଏଥିପାଇଁ ସମଗ୍ର ଅଞ୍ଚଳ ହୋଇଉଠିଛି ଚଳଚଞ୍ଚଳ । ପିତୃପକ୍ଷ ଚାଲୁଥିବାରୁ ବିରଜା ମନ୍ଦିର ପରିସରରେ ଥିବା ନାଭିଗୟାରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପାଇଁ ସାରା ଦେଶରୁ ଲୋକଙ୍କ ସୁଅ ଛୁଟିଛି । ବିଶ୍ୱାସ ରହିଛି ଏହି ସମୟରେ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ୨୧ପୁରୁଷ ପର୍ଯ୍ୟନ୍ତ ମୋକ୍ଷ ପ୍ରାପ୍ତି ହୋଇଥାଏ ।ସେହିପରି ଜଗତସିଂହପୁର ଜିଲ୍ଲା ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ପାର୍ବଣ ପୂଜା । ମୂଳାଷ୍ଟମୀ ଠାରୁ ସେପ୍ଟେମ୍ବର ୨୯ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ଶାରଳାଙ୍କ ପୀଠରେ ଚାଲିବ ଏହି ଷୋଡଶ ଉପଚାର ପୂଜା । ପାର୍ବଣ ପୂଜାକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଷୋଡଶ ଉପଚାର ସମୟରେ ମାଆଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଆନୁସାରେ ପୂଜାର୍ଚ୍ଚନା କରାଯିବ । ପ୍ରତ୍ୟେକ ଦିନ ମାଆଙ୍କ ନିକଟରେ ମୁଖ୍ୟ ଭୋଗ ମଣ୍ଡା ପିଠା ଲାଗି କରାଯିବ । ପ୍ରତି ଦିନ ସନ୍ଧ୍ୟାରେ ମା ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ସୁନା ଅଳଙ୍କାରରେ ସୁସଜିତ ହୋଇଥିବେ । ଷଷ୍ଠୀ, ସପ୍ତମୀ ଏବଂ ଅଷ୍ଟମୀ ରେ ମା ମହିଷାମର୍ଦ୍ଦିନ ବେଶରେ ଦର୍ଶନ ଦେବେ । ଏଥି ସହିତ ମା ଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ ।