ପାକିସ୍ତାନକୁ ବଡ଼ ଝଟକା, ପିସିବିର ସମସ୍ତ ଦାବିକୁ ଖାରଜ କଲା ଆଇସିସି

ଏସିଆ କପରେ ଭାରତ-ପାକିସ୍ତାନ ନୋ ହ୍ୟାଣ୍ଡସେକ୍ କଣ୍ଟ୍ରୋଭର୍ସିକୁ ନେଇ ଆଇସିସି ନିକଟରେ ଫେରାଦ ହୋଇଥିଲା । ଯାହାକୁ ନେଇ ଆଇସିସି ପିସିବିର ସମସ୍ତ ଦାବିକୁ ଖାରଜ କରିଛି । ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରପ୍ଟଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇବାକୁ ଦାବି ଖାରଜ ହୋଇଛି । ଆଇସିସି ନିକଟରେ ପାକିସ୍ତାନ କରିଥିବା ଅଭିଯୋଗର ଯାଞ୍ଚ ପରେ ନିଜର ନିଷ୍ପତ୍ତି ଶୁଣାଇଛି ।ପିସିବି ନିଜର ଚିଠିରେ ଉଲ୍ଲେଖ କରିଥିଲା ଯେ, ଯଦି ମ୍ୟାଚ୍ ରେଫରୀ ପାଇକ୍ରପ୍ଟଙ୍କୁ ଏସିଆ କପରୁ ହଟାନଯାଏ, ତେବେ ପାକ୍ ଟିମ୍ ଟୁର୍ଣ୍ଣାମେଣ୍ଟରୁ ଓହରିଯିବ ।ସୂଚନା ଅନୁଯାୟୀ, ରବିବାର ଏସିଆ କପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ହୋଇଥିଲା । ଏଥିରେ ଭାରତୀୟ ଦଳ ୭ ଓ୍ବିକେଟରେ ମ୍ୟାଚ୍ ଜିତି ନେଇଛି । ଟସ୍ ସମୟରେ ଦୁଇ ଦଳର ଅଧିନାୟକ ହାତ ମିଳାଇନଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।ସୋସିଆଲ ମିଡିଆ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରତିପକ୍ଷ ଅଧିନାୟକ ସଲମାନ ଆଘାଙ୍କ ସହ କରମର୍ଦ୍ଦନ କରିବାକୁ ମନା କରି ଦେଇଥିଲେ ବୋଲି ଦର୍ଶାଯାଇଥିଲା । କିନ୍ତୁ ପ୍ରକୃତ କଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ପଦାକୁ ଆଣିଥିଲା । ପିସିବି କହିଥିଲା, ମ୍ୟାଚ୍ ରେଫ୍ରରୀ ଆଣ୍ଡି ପାଇକ୍ରପ୍ଟ ପାକ୍ ଅଧିନାୟକ ସଲମାନ ଆଘାଙ୍କୁ କରମର୍ଦ୍ଦନ ନକରିବା ପାଇଁ କହିଥିଲେ । ଏହି ଅଭିଯୋଗକୁ ନେଇ ପିସିବି ଆଇସିସି ଏବଂ ଏସିସି ଦ୍ବାରସ୍ଥ ହୋଇଥିଲା । ଚିଠିରେ ଲେଖିଥିଲେ, ଯଥାଶୀଘ୍ର ଏସିଆ କପରୁ ରେଫରୀ ପାଇକ୍ରପ୍ଟଙ୍କୁ ବିଦା କରାନଗଲେ ପାକ୍ ଟିମ୍ ଟୁର୍ଣ୍ଣାମେଣ୍ଟରୁ ଓହରିଯିବ ।