
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ବାହୁଦାରେ ହେବ ବଡ଼ “ଗ୍ରୀନଫିଲ୍ଡ” ଡିପ୍-ସି ପୋର୍ଟ। ଏନେଇ ଗୁଜରାଟର ଭାବନଗରରେ ଆୟୋଜିତ ଟ୍ରାନସଫର୍ମିଂ ମାରିଟାଇମ ସେକ୍ଟର କନକ୍ଲେଭରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ମାରିଟାଇମ ବୋର୍ଡ, ପାରାଦୀପ ପୋର୍ଟ ଅଥରିଟି, ବିଶାଖାପଟନମ ପୋର୍ଟ ଅଥରିଟି ଓ ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ଏମଓୟୁରେ ସ୍ବାକ୍ଷର କରିଛନ୍ତି ।ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୧ ହଜାର ୫ଶହ କୋଟି ଖର୍ଚ୍ଚ ହେବ । ଓଡିଶାର ସମୁଦ୍ର ପରିବହନ ଆଧାରଭୂମି ପାଇଁ ୭୦ ହଜାର କୋଟିର ଏକ ବ୍ୟାପକ ପ୍ୟାକେଜର ଅଂଶ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୪ ହଜାର ୭ଶହ କୋଟିର ଜାହାଜ ନିର୍ମାଣ କ୍ଲଷ୍ଟର ଲାଗି ଅଲଗା MoU ହୋଇଛି । ଏହି ପ୍ରକଳ୍ପ ପାଇଁ ଏକ Special Purpose Vehicle ଗଠିତ ହେବ । ଏଥିରେ ଓଡିଶା ମାରିଟାଇମ ବୋର୍ଡ ୨୬%, SFCL ୯%, VPA ୧୪% ଓ ବାକି ଅଂଶ PPAର ରହିବ ।ବାହୁଦା ପୋର୍ଟ ଦେଶର ୧୪ତମ କେନ୍ଦ୍ର ସରକାରୀ ପ୍ରମୁଖ ପୋର୍ଟ ହେବ । ବାର୍ଷିକ କ୍ଷମତା ରହିବ୧୫୦ ମିଲିୟନ୍ ଟନ୍ । ବାହୁଦା ପୋର୍ଟ ଦ୍ବାରା ଖଣିଜ, ଇସ୍ପାତ ଓ କୃଷି ପଣ୍ୟ କାରବାର ସୁଗମ ହେବ। ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧି ଘଟିବ। ପାରାଦୀପ ପରେ ଓଡିଶାର ଦ୍ୱିତୀୟ ପ୍ରମୁଖ ପୋର୍ଟ ଭାବେ ପରିଚିତ ହେବ।ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟରେ ବାହୁଦା ନଦୀ ମୁହାଣରେ ପୋର୍ଟ ପ୍ରତିଷ୍ଠା ହେବ । ଏହାର ଓଡିଶା, ପୂର୍ବ ଭାରତ ଏବଂ ଜାତୀୟ ଅର୍ଥନୀତି ପାଇଁ ବହୁମୁଖୀ ପ୍ରଭାବ ରହିବ । ୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ୱ ସମୁଦ୍ରଶକ୍ତିରେ ପରିଣତ କରିବାର ସ୍ଵପ୍ନ ସାକାର ହେବ । ଓଡିଶା ବର୍ତ୍ତମାନ ଭାରତର ପ୍ରାୟ ୧୩% କାର୍ଗୋ ସମ୍ଭାଳୁଛି ।ଯାହାକୁ ୨୦୩୦ ସୁଦ୍ଧା ୩୩% ପର୍ଯ୍ୟନ୍ତ ବଢ଼ାଇବା ଲକ୍ଷ୍ୟ ରହିଛି। ପ୍ରସ୍ତାବିତ ବାହୁଦା ପୋର୍ଟ ପାରାଦୀପ ବନ୍ଦରର ଚାପ କମାଇବା ସହିତ PM Gati Shakti ଅଧୀନରେ ସଡ଼କ ଓ ରେଳ ସଂଯୋଗକୁ ସୁଦୃଢ କରିବ। ଏହା ଗଞ୍ଜାମ ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଖଣିଜ ମାଳାରୁ ପଣ୍ୟ ନିଷ୍କାସନକୁ ସୁଗମ କରି, ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବ । ପୂର୍ବ ଉପକୂଳ ବାଣିଜ୍ୟ ପଥରେ ଓଡିଶାକୁ ମୁଖ୍ୟ କେନ୍ଦ୍ରରେ ପରିଣତ କରିବ। ଗ୍ରୀନଫିଲ୍ଡ” ପ୍ରକଳ୍ପ ଭାବେ ବାହୁଦା 2030 ସୁଦ୍ଧା ୩ ବିଲିୟନ୍ ଟନ୍ ପୋର୍ଟ କ୍ଷମତା ଆବଶ୍ୟକତା ପୂରଣରେ ସହାୟକ ହେବ। ପରିବେଶ-ସହଯୋଗୀ ଢାଞ୍ଚା ସହିତ ଏହା Sagarmala Programme ଓ “Blue Economy” ବୃଦ୍ଧିକୁ ପ୍ରୋତ୍ସାହନ ଦେବ ।