ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ: ରୋଗର କଷ୍ଟ ଠୁ ବଳି ଯାଉଛି ଅପେକ୍ଷା

ଭଞ୍ଜନଗର ୦୧/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ବହୁ ଯୋଜନା ପ୍ରଣୟନ କରାଯାଇଛି। ରୋଗୀଙ୍କୁ ତ୍ଵରିତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଉନ୍ନତ ବ୍ୟବସ୍ଥା ଆପଣାଯାଇଛି। କିନ୍ତୁ ଚିକିତ୍ସା ସେବାକୁ ବ୍ୟବସ୍ଥିତ କରାଯାଇ ପାରୁନାହିଁ। ଆଜି ବି ରୋଗୀ ଟିଏ ସକାଳୁ ଚିକିତ୍ସା ପାଇଁ ମେଡିକାଲରେ ପହଞ୍ଚିଲେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବା ପରେ ଡାକ୍ତରଙ୍କ ପରାମର୍ଶ ପାଇପାରୁଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନେ ପ୍ରତିଦିନ ଏହି ସମସ୍ୟା ଭୋଗୁଛନ୍ତି। ସକାଳ ୮ଟାରୁ ବର୍ହିବିଭାଗ ସାମ୍ନାରେ ଲମ୍ବା ଧାଡ଼ି ଦେଖୁବାକୁ ମିଳିଛି। ଲମ୍ବା ଧାଡ଼ି ଯୋଗୁ ରୋଗୀଙ୍କୁ ଦୀର୍ଘ ସମୟ ଧରି ଡାକ୍ତରୀ ପରାମର୍ଶ ପାଇଁ ଅପେକ୍ଷା କରିବାକୁ ପଡ଼ୁଛି।ରୋଗୀର ଶରୀର କଷ୍ଟଠାରୁ ଚିକିତ୍ସା ସେବା ପାଇବାକୁ ଧାଡ଼ିରେ ଘଣ୍ଟାଘଣ୍ଟା ଛିଡ଼ା ହେବାର ଯନ୍ତ୍ରଣା ବଳି ଯାଉଛି ବୋଲି ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି।

ମାଗଣା ଚିକିତ୍ସା ସେବା ଭରସାରେ ଗଞ୍ଜାମ ଜିଲ୍ଲାର ୭ ଟି ବ୍ଲକ ସମେତ ପଡୋଶୀ କନ୍ଧମାଳ ଓ ନୟାଗଡ
ଜିଲ୍ଲାରୁ ଲୋକେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଛୁଟି ଆସୁଛନ୍ତି। କିନ୍ତୁ ଏଠାରେ ରୋଗୀଙ୍କୁ ତ୍ବରିତ ଚିକିତ୍ସା ସେବା ମିଳିପାରୁନଥିବା ଅଭିଯୋଗ ହେଉଛି। ରୋଗୀଟିଏ ଯଦି ଏକଲା ଆସୁଛନ୍ତି, ତେବେ ତାଙ୍କୁ ୩ ରୁ ୪ଟି ଧାଡ଼ିରେ ଛିଡ଼ା ହେବା ପାଇଁ ପଢୁଛି। ପ୍ରଥମତଃ ବର୍ହି ବିଭାଗରେ ଡାକ୍ତର ଙ୍କୁ ଦେଖାଇବା ପାଇଁ ଧାଡ଼ିରେ ୩୦ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ରହିବାକୁ ପଡୁଛି। ଏହା ଯେତିକି ବାଧୁନାହିଁ, ଡାକ୍ତରଙ୍କୁ ପରାମର୍ଶ ପାଇଁ ଘଣ୍ଟା ଘଣ୍ଟା ଏ ଚେୟାର ରୁ ସେ ଚେୟାର କୁ ଯିବା ବେଶି ଯନ୍ତ୍ରଣା ଦେଉଛି। ସେଠାରୁ ଡାକ୍ତରଙ୍କ ପରାମର୍ଶ ସାଗିବା ପରେ ଯଦି ଡାକ୍ତର କୌଣସି ପରୀକ୍ଷା ପାଇଁ ଲେଖିଦେଇଥାଆନ୍ତି, ତେବେ ପୁଣି ଅଧ ଘଣ୍ଟା ରୂ ଘଣ୍ଟାଏ ଅପେକ୍ଷା କରିବାକୁ ପଡୁଛି। ଅଧିକାଂଶ ସମୟରେ ବହୁ ନିଃସେହାୟ ଓ ବରିଷ୍ଠ ନାଗରିକ ମଧ୍ୟ ଏହି ଅପେକ୍ଷା ଯୋଗୁ କଲବଲ ହେଉଛନ୍ତି।

ଶରୀରର ରୋଗ ଉପଶମ କରିବା ପାଇଁ ଆସୁଥିଲେ ହେଁ ଧାଡ଼ିରେ ବହୁ ସମୟ ରହିବା ଯନ୍ତ୍ରଣା ବେଶି କଷ୍ଟ ଦେଉଛି।ଡାକ୍ତର ଙ୍କୁ ଶିଘ୍ର ଦେଖାଇବା ପାଇଁ ରୋଗୀ ସୁରକ୍ଷା କର୍ମୀ ଙ୍କୁ କାକୁତି ମିନତି ହେଉଛନ୍ତି। ଏହାକୁ ନେଇ ପ୍ରତିଦିନ ଯୁକ୍ତିତର୍କ ହେଉଛି। ଗୁରୁତ୍ଵପୂର୍ଣ କଥା ହେଉଛି, ଏଠାରେ ବର୍ତମାନ ବହୁ ଡାକ୍ତର ପଦବୀ ଖାଲି ପଡିଛି। ସେହିଭଳି ନର୍ସ ସମେତ ବିଭିନ୍ନ ମେଡିକାଲ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି। ବର୍ତ୍ତମାନ ବର୍ହିବିଭାଗରେ ରୋଗୀଙ୍କ ଭିଡ଼ ଲାଗି ରହୁଛି। ବର୍ହି ବିଭାଗରେ ଆବଶ୍ୟକ ଡାକ୍ତର ରହୁ ନଥିବାରୁ
ଶତାଧିକ ରୋଗୀଙ୍କୁ ସେବା ଯୋଗାଇବା ଡାକ୍ତରଙ୍କ ପକ୍ଷେ କାଠିକର ପାଠ ହେଉଛି। ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବା ଯୋଗୁ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।ଏହି ଚିକିତ୍ସାଳୟରେ ତୁରନ୍ତ ବହିର୍ବିଭାଗରେ ଅଧିକ ଡାକ୍ତର ନିଯୁକ୍ତି ପାଇଁ ଲୋକେ ଦାବି କରିଛନ୍ତି ।