32 ବର୍ଷ ହେଲା ଓଡ଼ିଶାରେ ରହୁଥିଲା ବାଂଲାଦେଶୀ ନାଗରିକ ,କନ୍ଧମାଳରୁ ଗିରଫ ;ନକଲି ପରିଚୟ ପତ୍ର ଜବତ

କନ୍ଧମାଳ: କନ୍ଧମାଳ କୋଟଗଡ଼ରୁ ବାଂଲାଦେଶୀ ନାଗରିକ ଗିରଫ । ବେଆଇନ ଭାବେ ରହିଆସୁଥିବା ଅଭିଯୋଗରେ ନାଜିର ମୁଲ୍ଲା ନାମକ ଜଣେ ବାଂଲାଦେଶୀ ନାଗରିକକୁ କୋଟଗଡ ପୋଲିସ ଗତ ରବିବାର ଗିରଫ କରିଛି । ସେ 1994 ମସିହାରେ ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରିଥିଲା । ତା ନିକଟରୁ ଜାଲ୍‌ ପରିଚୟ ପତ୍ର ଜବତ କରାଯାଇଛି ।

କନ୍ଧମାଳରୁ ବାଂଲାଦେଶୀ ନାଗରିକ ଗିରଫ:ରାଜ୍ୟରେ ବର୍ଷ ବର୍ଷ ଧରି ରହି ଆସୁଥିବା ବାଂଲାଦେଶୀ ନାଗରିକଙ୍କୁ ତଡିପାର କରିବାକୁ ସରକାରଙ୍କ ପକ୍ଷରୁ ପକ୍ରିୟା ଜାରି ରହିଛି । ଏହିକ୍ରମରେ କନ୍ଧମାଳ ଜିଲ୍ଲା କୋଟଗଡ଼ରୁ ବାଂଲାଦେଶୀ ନାଗରିକ ଗିରଫ କରାଯାଇଛି । ଗୁଇନ୍ଦା ସୂଚନା ଆଧାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ପୋଲିସ ।ଜେଲରେ ନାଜିର:ନାଜିରକୁ ଧରିବା ପରେ ପୋଲିସ ତା ନିକଟରୁ ଜାଲ୍ ଭାରତୀୟ ଭୋଟର କାର୍ଡ, ଆଧାରକାର୍ଡ, ପାସପୋର୍ଟ ସମେତ ଭାରତୀୟ ଭିସା ମଧ୍ୟ ଜବତ କରିଛି । କୋଟଗଡ଼ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି, ନାଜିର ମୁଲ୍ଲାକୁ ଗିରଫ କରି ଥାନା କେସ୍ ନଂ ୧୩୧/୨୦୨୫ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି । ସେପଟେ ନାଜିର୍ ମୁଲ୍ଲାକୁ କୋର୍ଟରେ ହାଜର କରାଇବା ପରେ ବାଲିଗୁଡ଼ା ଉପ କାରାରାଗାରକୁ ପଠେଇ ଦିଆଯାଇଥିବା କହିଛନ୍ତି ଥାନା ଅଧିକାରୀ ।

ଭାରତୀୟ ପରିଚୟ ଦେଇ ବିବାହ କରିଥିଲେ:କୋଟଗଡ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କୋଟଗଡ଼ ମୁଣ୍ଡାସାହିରେ ନାଜିର୍ ମୁଲ୍ଲା ନାମକ ଜଣେ ବ୍ୟକ୍ତି ନିଜକୁ ଭାରତୀୟ ପରିଚୟ ଦେଇ ଦୀର୍ଘ ବର୍ଷ ହେବ ଜଣେ ସ୍ଥାନୀୟ ଯୁବତୀଙ୍କୁ ବିବାହ କରି ଘର ସଂସାର କରି ରହି ଆସୁଥିଲା । ସେ ୧୯୯୪ ମସିହାରେ ଭାରତକୁ ଅନୁପ୍ରବେଶ କରିଥିଲା । ପ୍ରଥମେ ନାଜିର୍ କଟକରେ ପହଁଞ୍ଚି କାମ ନ ପାଇବା ପରେ ସେଠାରୁ କୁଆଡେ ଜି.ଉଦୟଗିରିରେ ପହଞ୍ଚିଥିଲା ।