୧୨ ଜୁଆଡ଼ିଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ

ଭଞ୍ଜନଗର ୦୬/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାରେ ଦଶହରା ପୁର୍ବରୁ କୁମାର ପୂର୍ଣ୍ଣିମା ଓ ଦୀପାବଳୀ ପର୍ଯ୍ୟନ୍ତ ଜୁଆ ଖେଳ ବ୍ୟାପକ ହୋଇଥାଏ। ଅଧିକାଂଶ କେବଳ ଦଶହରା ରୁ କୁମାର ପୂର୍ଣ୍ଣିମା ଦିନ ପର୍ଯ୍ୟନ୍ତ ଜୁଆ ଖେଳି ପରମ୍ପରାର ରଙ୍ଗ ଦେଉଥିବା ବେଳେ ଏହାର ସୁଯୋଗରେ ବହୁ ପଥଭ୍ରଷ୍ଟ ଯୁବକ ମାସାଧିକ ସମୟ ଜୁଆ ଆଡ୍ଡାରେ ଦିନ କାଟୁଛନ୍ତି। କଉଡ଼ି, ପାଲି, ତାସ୍ ଖେଳରେ କୌଣସି ବାଜି ନ ଲଗାଇ ମନୋରଞ୍ଜନ ପାଇଁ ଖେଳିବା ହେଉଛି ପରମ୍ପରା। ହେଲେ ସଂଗଠିତ ହୋଇ ଲକ୍ଷ ଲକ୍ଷ ଟଙ୍କା ବାଜିରେ ଲଗାଇ ଜୁଆ ଖେଳିବା ଏକ ଅପରାଧ ବୋଲି ପୁଲିସ ସ୍ପଷ୍ଟ କରିଛି। ତେଣୁ ପରମ୍ପରା ନାଁରେ ଜୁଆ ଖେଳୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ପ୍ରୟାସ ଜାରି ରଖିଛି। ଜୁଆ ଖେଳ ଯୋଗୁ ଅନେକ ଲୋକ ଜୁଆରେ ସର୍ବସ୍ବ ହରାଇବା ପରେ ସେମାନେ ମାନସିକ ଦୁଶ୍ଚିନ୍ତାରେ ରହିଥାନ୍ତି। ଏଥିସହ ଏହି ସମୟରେ ଚୋରି ମଧ୍ୟ ବଢ଼ିଥାଏ। ତେଣୁ ଜୁଆ ଖେଳକୁ ରୋକିବା ପାଇଁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସମସ୍ତ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଚାଲିଥିବା ଜୁଆ ଖେଳ ଉପରେ ଚଢାଉ କରାଯାଉଥିବା ବେଳେ ଭଞ୍ଜନଗର ପୁଲିସ କୁ ଏହି କ୍ଷେତ୍ରରେ ପ୍ରତିଦିନ ନୁଆ ନୁଆ ସଫଳତା ମିଳୁଛି। ସୋମବାର ସହର ଉପକଣ୍ଠ ଜାମପଲ୍ଲୀରେ ଚାଲିଥିବା ଏକ ବଡ ଜୁଆ ଆଡ୍ଡାରେ ପୁଲିସ ଚଢାଉ କରି ୧୨ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏହା ସହ ସେମାନଙ୍କ ନିକଟରୁ ୧ ଲକ୍ଷ ୭୨ ହଜାର ଟଙ୍କା, ୧୩ଟି ମୋବାଇଲ ଫୋନ ସହ ୫ ମୋଟର ସାଇକେଲ ଓ ଖେଳରେ ବ୍ୟବହୃତ କାର୍ଡ ଜବତ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୁଚନା ଦେଇଛନ୍ତି।