
ଦିଲ୍ଲୀ : ଫଲୋଅନ୍ ପରେ ୱେଷ୍ଟଇଣ୍ଡିଜର କଡ଼ା ଜବାବ । ଦ୍ବିତୀୟ କ୍ରିକେଟ୍ ଟେଷ୍ଟର ଆଜି ତୃତୀୟ ଦିନରେ ତାର ଦ୍ବିତୀୟ ପାଳି ଆରମ୍ଭ କରି ଭରତ ବିପକ୍ଷରେ ୨ ୱିକେଟରେ ୧୭୩ ରନ୍ କରିଛି । ତଥାପି ଭାରତ ଠାରୁ ୯୭ ରନ୍ ପଛରେ ଅଛି ଭ୍ରମଣକାରୀ ଦଳ ।ଆଜି ଇଣ୍ଡିଜ୍ ଦଳ ପ୍ରଥମ ଇନିଂସରେ ମୋଟ ୨୪୮ ରନ୍ କରି ଅଲଆଉଟ୍ ହୋଇଥିଲା । ସ୍ପିନର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଆକ୍ରମଣରେ ଧରାଶାୟୀ ହୋଇ ଯାଇଥିଲା ଦଳ । ଯାଦବ ୮୨ ରନରେ ୫ ଏବଂ ଜାଡେଜା ୪୬ ରନରେ ୩ ୱିକେଟ୍ ଦଖଲ କରିଥିଲେ । ତେବେ ଭାରତ ପ୍ରଥମ ଇନିଂସରେ ୫ ୱିକେଟରେ ୫୧୮ ରନ୍ କରି ଘୋଷଣା କରିଥିଲା । ଫଳରେ ଇଣ୍ଡିଜ୍ ୨୭୦ ରନ୍ ପଛରେ ରହି ଫଲୋଅନ୍ ହୋଇଥିଲା ଏବଂ ପୁଣି ଦ୍ବିତୀୟ ଇନିଂସ୍ ଆରମ୍ଭ କରିଥିଲା । ଦ୍ବିତୀୟ ପାଳିରେ ଏହାର ବ୍ୟାଟରମାନେ ଦୃଢ଼ ବ୍ୟାଟିଂ କରିଥିଲେ ।ଭ୍ରମଣକାରୀ ଦଳ ପକ୍ଷରୁ ଓପ୍ନର ଜନ୍ କ୍ୟାମ୍ପବେଲ ୮୭ ରନ୍ କରି ଅପରାଜିତ ଅଛନ୍ତି । ସେହିପରି ସାଇ ହୋପ୍ ୬୬ ରନ୍ କରି ଖେଳୁଛନ୍ତି । ୪୯ ଓଭର ଖେଳରେ ୱେଷ୍ଟଇଣ୍ଡିଜ୍ ୨ ୱିକେଟ୍ ହରାଇ ୧୭୩ ରନ୍ କରିଛି । ତଥାପି ଭାରତକୁ ଆଉଥରେ ବ୍ୟାଟିଂ କରାଇ ପରାଜୟକୁ ଏଡ଼ାଇବା ଦଳ ପକ୍ଷରେ ଅତ୍ୟନ୍ତ କଷ୍ଟକର ହେବ ।