
ଭଞ୍ଜନଗର,୧୩/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ): ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଏକ ପ୍ରକାର ଲାଇପ ଲାଇନ ପାଲଟିଥିବା କଳିଙ୍ଗା ଘାଟି ଭୂସ୍ଖଳନ ଯୋଗୁ ଯାତାୟତ ସଂପୂର୍ଣ୍ଣ ଠପ ରହିଛି। ବର୍ଷା ପୁନରୁଦ୍ଧାର କାର୍ଯ୍ୟରେ ବାଧକ ସାଜୁଥିବା ବେଳେ ରାସ୍ତାରେ ଯାତାୟତ ସ୍ବଭାବିକ ହୋଇ ପାରୁନଥିବାରୁ ଉଭୟ ଜିଲ୍ଲା ତଥା ସୀମାନ୍ତବର୍ତ୍ତି ଇଲାକାର ଲୋକ ମାନେ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଉଭୟ ସୀମାନ୍ତ ଅଞ୍ଚଳର କିଛି ବ୍ୟକ୍ତି ବିଶେଷଙ୍କୁ ନେଇ ଆଜି ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ନିର୍ମାଣ ଚାଲିଥିବା ଅସ୍ଥାୟୀ ରାସ୍ତା କିଭଳି ଯଥା ଶୀଘ୍ର ସଂପୂର୍ଣ୍ଣ ହେବ ସେନେଇ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ ସମ୍ବଲପୁର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂଶାନ୍ତୁନୁ ସାହୁ ଚାଲିଥିବା କାର୍ଯ୍ୟ ସଂର୍ପକରେ ସୂଚନା ଦେଇଥିଲେ।
ଏଥିସହ ପାଗ ଅନୁକୂଳ ରହିଲେ ହାଲୁକା ଯାନା ବାହାନ ଯାତାୟତ ପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଯୋଜନା ନେଇ କାମ କରାଯାଉଥିବା କହିଥିଲେ।ଦୁର୍ଗାପସାଦରୁ କଳିଙ୍ଗା ଘାଟିର ଭାଲିଆପଟାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ଏକ ବାଇପାସ୍ ରାସ୍ତା ସଂର୍ପକରେ ମଧ୍ୟ ଆଲୋଚନା ହୋଇଥିଲା। ଗ୍ରାମ୍ୟ ରାସ୍ତା, ଜଙ୍ଗଲ ଜମି ଆଦିର କେତେ ଅଂଶ ରହିଛି ଏବଂ କିଭଳି ଏହାକୁ ଗମନା ଗମନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ସେନେଇ ସରଜମିନ ସ୍ଥିତି ଅନୁଧ୍ୟାନ ପାଇଁ ବିଧାୟକ ଓ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ଟିମ୍ ଆସନ୍ତା ୧୭ ତାରିଖ ଦିନ ଉକ୍ତ ଅଞ୍ଚଳ ଗସ୍ତ କରି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବା ସଂର୍ପକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଭଞ୍ଜନଗର ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଜାତୀୟ ରାଜପଥ ଏସ୍ଇ ଶ୍ରୀ ସାହୁ, ଫୁଲବାଣୀ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଶାନ୍ତ କୁମାର ସାହୁ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ପୂର୍ତ୍ତ ବିଭାଗ ଏସ୍ଇ ସତ୍ୟ ରଞ୍ଜନ ପରିଡା, କଳିଙ୍ଗା ଅଞ୍ଚଳର ଅମାନଚନ୍ଦ୍ର ନାୟକ, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମିଶ୍ର, ସୁମନ ଘୋଷ, ସାଂସଦ ପ୍ରତିନିଧି ରବିନ୍ଦ୍ର ଗୌଡ, ଶିବ ଶଙ୍କର ପ୍ରଧାନ, ଧୋବା ଗୌଡ, ଜିଲ୍ଲା ସଭାପତି ନୀଳମାଧବ ପାତ୍ର, ଦଦରଲୁଣ୍ଡା ସରପଞ୍ଚ ନିରଞ୍ଜନ ସେଠୀ, ଜ୍ୟୋତିସ୍ବାମୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।