ଶୁଭୁନି ହଳିଆ ଗୀତ, ପଡ଼ୁନି ଧାନ ବେଙ୍ଗଳା; ମଳା ମେସିନ୍ କରୁଛି ଧାନ ଅମଳ

ଭଞ୍ଜନଗର ୦୨/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କୃଷି ପ୍ରଧାନ ଆମ ରାଜ୍ୟରେ ପୂର୍ବରୁ ବର୍ଷର ଅଧିକାଂଶ ସମୟ ଚାଷ ଜମିରେ କୃଷକ ଓ କୃଷି ଶ୍ରମିକ ମାନେ ସମୟ ଦେଉଥିଲେ। ଧାନ ଚାଷ ପାଇଁ କ୍ଷେତ ପ୍ରସ୍ତୁତି ଠାରୁ ଆରମ୍ଭ କରି ରୁଆ, ବୁଣା, ଧାନ ବଛା, ଶେଷରେ ଧାନ କଟା ଓ ଅମଳ ପର୍ଯ୍ୟନ୍ତ ଚାଷୀ ଓ କୃଷି ଶ୍ରମିକମାନେ ନିୟୋଜିତ ରହୁଥିଲେ। କ୍ଷେତରୁ ବର୍ଷକର ରୋଜଗାର ପାଉଥିବା ଚାଷୀ ପୂର୍ବରୁ ପାରମ୍ପରିକ ପଦ୍ଧତିକୁ ଆପଣାଉଥିଲେ। ଜମିରେ ହଳ ବଳଦରୁ ଆରମ୍ଭ କରି ଜମି ଚାଷ ପାଇଁ ଲଙ୍ଗଳ,ମହି ଓ ଜୁଆଳି ଆଦି ବ୍ୟବହାର କରୁଥିଲେ। ଏଥିପାଇଁ ରାଜ୍ୟର ଗ୍ରାମାଞ୍ଚଳ ରେ ବଳଦର ବହୁଳ ବ୍ୟବହାର ହେଉଥିଲା। ଏବେ କିନ୍ତୁ ସମୟ ବଦଳିଛି। ପାରମ୍ପରିକ ଚାଷରୁ ମୁହଁ ଫେରାଇ ଏବେ ଯନ୍ତ୍ର ଉପରେ ଅଧିକ ନିର୍ଭରଶୀଳ ହେଲେଣି ଚାଷୀ। ଫଳରେ ହଳ ବଳଦର ଆଉ ବହୁଳ ବ୍ୟବହାର ଦେଖିବାକୁ ମିଳୁନି। ଚାଷ ଜମିରେ ମଧ୍ୟ କୃଷି ଶ୍ରମିକଙ୍କ ସଂଖ୍ୟା ଯଥେଷ୍ଟ କମିଗଲାଣି। ଆଉ ଧାନ ଅମଳ ପାଇଁ ଗାଁ ଗାଁରେ ବେଙ୍ଗଳା ପଡ଼ୁନି। ଗୋରୁ ମାନଙ୍କୁ ନେଇ ଧାନ ମଳା ଯାଉନି। ମେସିନ୍‌ରେ ଧାନ ଅମଳ ହେଉଛି। ପୂର୍ବରୁ ଧାନ ଅମଳ ପରେ ପାଳ ସଂଗ୍ରହ କରାଯାଉଥିଲା। ତାହା ବର୍ଷସାରା ଗାଈଗୋରୁଙ୍କ ଖାଦ୍ୟ ଭାବେ ବ୍ୟବହୃତ ହେଉଥିଲା। ହେଲେ ଏବେ ପାଳ ମଧ୍ୟ ଅଧିକ ଦେଖିବାକୁ ମିଳୁନି। କାଁ ଭାଁ କିଛି ଚାଷୀ ଗୋରୁମାନଙ୍କୁ ନେଇ ଗାଁ ଗହଳିରେ ବେଙ୍ଗଳା ବୁଲାଇ ଧାନ ଅମଳ କରୁଥିବା ବେଳେ ଅଧିକାଂଶ ଚାଷୀ ମେସିନ୍ ସହାୟତାରେ ଧାନ ଅମଳ କରୁଛନ୍ତି।

ପୂର୍ବରୁ ଗାଁ ଗାଁରେ ରାତିରେ ଧାନ ଅମଳ ବେଳେ କୃଷି ଶ୍ରମିକମାନେ ଗୋରୁ ମାନଙ୍କୁ ନେଇ ଧାନ ବେଙ୍ଗଳା ବୁଲାଇ ହଳିଆ ଗୀତ ଗାଉଥିଲେ। ସେଥିରେ ରାମାୟଣ ସମେତ ବହୁ ପୌରାଣିକ ଉପାଖ୍ୟାନ ସ୍ଥାନ ପାଉଥିଲା। ତେବେ ଖର୍ଚ କମିବା ସହ କମ୍ ସମୟରେ ଧାନ ଅମଳ ହୋଇପାରୁଥିବାରୁ ଏବେ ମେସିନ୍ ସହାୟତାରେ ହିଁ ଧାନ ଅମଳ କରାଯାଉଛି। ପୂର୍ବରୁ ଅମଳ ପରେ ଏହାକୁ ସଂରକ୍ଷଣ କରିବାକୁ ସେଥିରୁ ବାହାରୁ ଥିବା ପାଳକୁ ବଳି ଦଉଡ଼ି ପ୍ରସ୍ତୁତ କରି ପୁଡ଼ୁଗ ତିଆରି କରୁଥିଲେ ଚାଷୀ। ଧାନ ପୁଡ଼ୁଗ ଭିତରେ ବର୍ଷ ସାରା ରହିବା ଓ ଖଣିରେ ପଡ଼ିବା ଯୋଗୁଁ ଏହା ଅଧିକ ଦିନ ବ୍ୟବହାର ଉପ‌ଯୋଗୀ ହେଉଥିଲା। କିନ୍ତୁ ଆଜିର ଯାନ୍ତ୍ରିକ ଯୁଗରେ ମେସିନରେ ଧାନ ଅମଳ ପରେ ତୁରନ୍ତ ତାକୁ ଜମିରୁ ହିଁ ଅଖାରେ ଭର୍ତ୍ତି କରି ମିଲ୍‌କୁ ପଠାଇ ଦିଆଯାଉଛି। ଷ୍ଟିମ୍ ଦେଇ ଧାନରୁ ଚାଉଳ ବାହାର କରାଯାଇ ତାକୁ ବଜାରକୁ ଛାଡ଼ି ଦିଆଯାଉଛି। ଏସବୁ ଚାଉଳ ଖାଇ ଲୋକେ ପ୍ରାକୃତିକ ପୁଷ୍ଟିରୁ ବଞ୍ଚିତ ହେବା ସହ ରୋଗନିରୋଧ ଶକ୍ତି ହ୍ରାସ ପାଉଥିବା କହିଛନ୍ତି ଚାଷୀ। ବାସ୍ତବରେ ଏବେ ଆଧୁନିକତାର ଦ୍ବାହି ଦେଇ ପୁରୁଣା ପରମ୍ପରାକୁ ଭୂଲି ଗଲେଣି ଅନେକ ଚାଷୀ। ସେପଟେ କୃଷି ଶ୍ରମିକମାନେ କାମଧନ୍ଦା ଅଭାବରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ବହୁ ଚାଷୀ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।