
ଭଞ୍ଜନଗର: ୨୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆଜି କବି ସମ୍ରାଟ ଷ୍ଟାଡିୟମ ପରିସରରେ ପ୍ୟରେଡ ଅଭ୍ୟାସ ଅନୁଷ୍ଠିତ ହୋଇଛି। ବିଭିନ୍ନ ସ୍କୁଲ ଓ କଲେଜର ଏନ୍ସିସି, ସ୍କାଉଟ, ରେଡକ୍ରସ ସହ ସିଭିଲିଆନ ଟିମ୍ ଏହି ଅଭ୍ୟାସରେ ସାମିଲ ହୋଇଥିଲେ। ତେବେ ଅଭ୍ୟାସ କରାଯାଉଥିବା ପଡିଆରେ ଘାସ ଗାଲିଚା ନଥିବାରୁ କିଛି ବର୍ଷ ହେଲା ପ୍ରବଳ ଧୂଳି ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଅଭ୍ୟାସ ସମୟରେ ଧୂଳି ଯେଭଳି ନଉଡି ସେଥି ନିମନ୍ତେ ପ୍ରଚୁର ପାଣି ପକାଇବା ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ଅଭ୍ୟାସ ପୂର୍ବରୁ କିଛି ସ୍ଥାନରେ ପାଣି ପକା ହୋଇଥିଲେ ମଧ୍ୟ ଆବଶ୍ୟକ ପରିମାଣର ପାଣି ସିଞ୍ଚନ ହୋଇନଥିବାରୁ ପ୍ୟରେଡ ଅଭ୍ୟାସ ସମୟରେ ପ୍ରବଳ ଧୂଳି ଉଡୁଥିବା ଦେଖିବାକୁ ମିଳିଥିଲା। ଧୂଳିରେ କିଛି ପ୍ରଶିକ୍ଷାର୍ଥି ଏକ ପ୍ରକାରର ଅଣନିଶ୍ବାସୀ ହୋଇ ପଡୁଥିଲେ ମଧ୍ୟ ଏକ ପ୍ରକାର ବାଧ୍ୟ ହୋଇ ପ୍ୟରେଡ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ପିଲାଙ୍କ ପୋଷକ ମଧ୍ୟ ଧୂଳିରେ ଖରାପ ହୋଇଥିବାରୁ କିଛି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଆଗାମୀ ଦିନରେ ଅଭ୍ୟାସ ସମୟରେ ପିଲାଙ୍କ ସୁବିଧା ଦୃଷ୍ଟିରୁ ପାଣି ସିଞ୍ଚନ ସହ ସୁରୁଖୁରୁରେ ଏଭଳି ଜାତୀୟ ଦିବସ ପାଳନ କରିବା ଦିଗରେ ପ୍ରଶାସନ ତତ୍ପରାତା ଦେଖାଇବା ଜରୁରୀ ହୋଇଛି। ସୂଚନା ଓ ଲୋକ ସଂର୍ପକ ବିଭାଗ ପକ୍ଷରୁ ଏହି ଜାତୀୟ ଦିବସ ପାଳନ ନେଇ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ପ୍ୟରେଡ ଅଭ୍ୟାସ ସମୟରେ ସୁସ୍ଥ ବାତାବରଣ ଭିତରେ ଯେଭଳି ଛାତ୍ରଛାତ୍ରୀ ମାନେ ଅଭ୍ୟାସ କରିବେ ସେଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।