
ଭଞ୍ଜନଗର ୨୬/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିକାରୀଙ୍କ ପ୍ରକୃତି ପ୍ରେମ। ୩ ହଜାରରୁ ଊର୍ଦ୍ଧ୍ବ ସୁସଜ୍ଜିତ ଫୁଲ ମାଣ୍ଡଣାରେ ସଜ୍ଜିତ ହୋଇଛି ଥାନା। ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପ୍ରକୃତି ପ୍ରେମ ପରିବେଶବିତଙ୍କ ବିଚାରଧାରାକୁ ପଛରେ ପକାଇ ଦେଇଛି। ଥାନାର ଏଭଳି ପରିବେଶ ଥାନାକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ମନରେ ଅଫୁରନ୍ତି ଆନନ୍ଦ ସୃଷ୍ଟି କରୁଛି। ଥାନା ଅଧିକାରୀ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟ, ଷ୍ଟାଫ୍ ରୁମ୍, ବାରଣ୍ଡା ଓ ପାଚେରି ପରିସରରେ ଥିବା ପ୍ରତ୍ୟେକ ସ୍ଥାନରେ ଫୁଲର ମାଣ୍ଡଣା ଭରପୁର ହୋଇରହିଛି। ସମଗ୍ର ଥାନାଟି ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲର ବଗିଚାରେ ପରିପୂର୍ଣ ହୋଇ ପ୍ରକୃତିର ମଧୁମେୟ ପରିବେଶ ସୃଷ୍ଟି କରିଛି। ରାତି ହେଲେ ରଙ୍ଗ ବେରଙ୍ଗ ଆଲୁଅରେ ଥାନା ଝଲସୁଥିବା ବେଳେ ଛୋଟ ଛୋଟ ପିଲାମାନେ ଖେଳର ମଜା ନେଉଛନ୍ତି। କହିବାକୁ ଗଲେ ଭଞ୍ଜନଗର ଥାନା ଏବେ ପ୍ରକୃତିର ଗନ୍ତାଘର ପାଲଟିଛି। ଏଥିରେ ବହୁ ପରିମାଣରେ ପୋଟ୍, ଗେଣ୍ଡୁ, ଲେଭେଣ୍ଡର, ଗୋଲାପ ପ୍ରଭୃତି ଫୁଲର ଭଣ୍ଡାର ଦେଖିବାକୁ ମିଳିଛି।ଯାହାକି ପାର୍କର ଭ୍ରମ ସୃଷ୍ଟି କରୁଛି। ଥାନା ଅଧିକାରୀ ଶ୍ରୀ ଜେନାଙ୍କ ପ୍ରକୃତିକୁ ଭଲ ପାଇବାର ବଳିଷ୍ଠ ଉଦାହରଣ ଥାନା ବଗିଚାରେ ଦେଖିବାକୁ ମିଳିଛି।
୨୦୦୮ରେ ଶ୍ରୀ ଜେନା ଓଡ଼ିଶା ପୁଲିସରେ ଯୋଗ ଦେଇଥିଲେ। ଭଞ୍ଜନଗର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀ ଜେନା ଗତ ବର୍ଷ ଫେବୃଆରୀ ୧୪ ତାରିଖରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ସମେ ରାଜ୍ୟର ବିଭିନ୍ନ ଥାନାରେ କାର୍ଯ୍ୟ କରିଛନ୍ତି। ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ଶ୍ରୀ ଜେନାଙ୍କ ସୁନାମ ସାରା ରାଜ୍ୟରେ ରହିଛି। ଭଞ୍ଜନଗର ଥାନାରେ ଶ୍ରୀ ଜେନା ଯୋଗଦେବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡ୍ୟୁଟି କରନ୍ତି। ଏହା ସତ୍ତ୍ୱେ ସକାଳେ ଶୀଘ୍ର ଉଠିବା ପରେ ନିତ୍ୟକର୍ମ ସାରି ଥାନାକୁ ଯାଇ ଅଭିଯୋଗ ନେଇ ଆସିଥିବା ଲୋକଙ୍କ ଅସୁବିଧା ବୁଝନ୍ତି। ଏହା ସହ ଶ୍ରୀ ଜେନା ପ୍ରକୃତିକୁ ଭଲ ପାଇବାର ନିଦର୍ଶନ ଏଠାରେ ପ୍ରତିପାଦନ କରିଛନ୍ତି। ଥାନା ପରିସରରେ ଭଳିକି ଭଳି ଫୁଲ ଗଛ ଲଗାଇ ଏହାର ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରାଇଛନ୍ତି।ଏହା ସହ ଛୋଟ ଛୋଟ ପିଲା ଖେଳିବା ପାଇଁ ଥାନା ପରିସରରେ ବିଭିନ୍ନ ଖେଳ ସାମଗ୍ରୀ ଲଗାଯାଇଛି।ସକାଳେ ଓ ସନ୍ଧ୍ୟା ସମୟରେ ପିଲା ମାନେ ଖେଳର ମଜା ଉଠାଉଛନ୍ତି। ବିଶେଷକରି ପୁଲିସକୁ ଦେଖିଲେ ଲୋକମାନେ ବିଭିନ୍ନ ଆଶଙ୍କା କରି ଅନେକ ସମୟରେ ଡରି ଯାଇଥାଆନ୍ତି। କିନ୍ତୁ ଏଭଳି ଜଣେ ଥାନାଧିକାରୀ ଅଛନ୍ତି, ଯିଏ କମ୍ ଦିନରେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ପ୍ରକାର ବନ୍ଧୁ ପାଲଟିଛନ୍ତି। ଏହା ସହ ଅଞ୍ଚଳରୁ ଅପରାଧ ହ୍ରାସ କରିବାକୁ ସେ ଉଦ୍ୟମ ଜାରି ରଖିଛନ୍ତି। ଲୋକମାନେ କିପରି ପରସ୍ପର ମଧ୍ୟରେ କଳି ଗୋଳ କରିବେ ନାହିଁ, ଭାଇଚାରା ବଜାୟ ରଖିବେ ସେନେଇ ସେ ଲୋକଙ୍କୁ ନିଜ ପ୍ରକୋଷ୍ଠରେ ବସାଇ ଚା, ପାଣି ଦେଇ ବୁଝାଉଛନ୍ତି। ରାତି ହେଉ କି ଦିନ ସବୁ ସମୟରେ ଥାନାଧିକାରୀଙ୍କ ପ୍ରକୋଷ୍ଠର କବାଟ ସାଧାରଣ ଲୋକଙ୍କ ପାଇଁ ଖୋଲା ରହୁଛି। ଅଭିଯୋଗ ଜଣାଇବାକୁ ଆସୁଥିବା ଲୋକେ ଆଇଆଇସିଙ୍କୁ ଭେଟି ଅଭିଯୋଗ ଜଣାଉଛନ୍ତି।ଥାନା ଅଧିକାରୀ ଙ୍କ ଏଭଳି କାର୍ଯ୍ୟ ପାଇଁ ଶ୍ରୀ ଜେନା ଜନସାଧାରଣ ଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି।