ଚୌଦ୍ୱାର କଲେଜ ପରିସର ଚୋରଙ୍କ ଆଶ୍ରୟସ୍ଥଳ! ମହିଳା ହଷ୍ଟେଲ ଭଙ୍ଗାରୁଜା, ଲାଗାତାର ଚୋରି, ଘୁମାଉଛି ଚୌଦ୍ଵାର ପୋଲିସ?

ଚୌଦ୍ୱାର (ଶିବବ୍ରତ ଦାସ):
ଚୌଦ୍ୱାର କଲେଜ ପରିସର ଏବେ ଆଉ ଶିକ୍ଷାର ଆଲୟ ନୁହେଁ, ବରଂ ଚୋର ଓ ଅସାମାଜିକଙ୍କ ପାଇଁ ଖୋଲା ମଞ୍ଚ ହୋଇଯାଇଛି। ଲାଗାତାର ଚୋରି, ମହିଳା ହଷ୍ଟେଲରେ ଭଙ୍ଗାରୁଜା ଓ ଅନଧିକୃତ ପ୍ରବେଶ ଘଟଣା ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। କିନ୍ତୁ ଏତେ ଘଟଣା ସତ୍ତ୍ୱେ ଯେଉଁଠି ରାତିରେ ପହରା ହେବା କଥା, ସେଠି ନୀରବତା ହିଁ ଦେଖାଯାଉଛି। ବିଶେଷକରି ମହିଳା ହଷ୍ଟେଲ, ପୁରୁଣା ଲାଇବ୍ରେରୀ ଓ +୨ ବଟାନି ଲ୍ୟାବରେଟରୀରେ ଘଟୁଥିବା ଏହି ଘଟଣାମାନେ କଲେଜର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି ଏବଂ ସେହି ସହିତ ସ୍ଥାନୀୟ ପୋଲିସର ଭୂମିକା ନେଇ ମଧ୍ୟ। କଲେଜ ପ୍ରଶାସନ ସୂଚନା ଅନୁଯାୟୀ, ତା. ୨୯.୦୧.୨୦୨୬ ରେ ଜାରି ହୋଇଥିବା ନୋଟିସ ଆଧାରରେ ୩୦.୦୧.୨୦୨୬ ଅପରାହ୍ନ ୩ଟାରେ କଲେଜ ଡିଭେଲପମେଣ୍ଟ କମିଟି, UGC, ନିର୍ମାଣ କମିଟି ଓ ମହିଳା ହୋଷ୍ଟେଲ କମିଟିଙ୍କ ସହ ମିଳିତ ନିରୀକ୍ଷଣ କରାଯାଇଥିଲା। ନିରୀକ୍ଷଣ ସମୟରେ ମହିଳା ହଷ୍ଟେଲ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ଭୟାବହ ସତ୍ୟ। ହଷ୍ଟେଲର ଝରକା ଭାଙ୍ଗି ଅନଧିକୃତ ପ୍ରବେଶ, ବିଦ୍ୟୁତ ତାର, ସିଲିଂ ଫ୍ୟାନ, ୱାସ ବେସିନ, ଲୁହାରେ ତିଆରି ଗ୍ରିଲ୍ ସହ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି ସବୁ କିଛି ହୋଇଯାଇଛି। ପ୍ରଶ୍ନ ହେଉଛି, ଏତେ ସବୁ ଚୋରି ହେଲା ପରେ ମଧ୍ୟ ଚୋର କେମିତି ଅଦୃଶ୍ୟ? ଏହା ସହ କଲେଜ ଜମି ଉପରେ ଅନଧିକୃତ ରାସ୍ତା ଓ ଅସ୍ଥାୟୀ ଝୁପୁଡ଼ି ତିଆରି ହୋଇଥିବାରୁ ଅସାମାଜିକ ବ୍ୟକ୍ତିମାନେ ସହଜରେ କଲେଜ ପରିସରକୁ ପ୍ରବେଶ କରୁଛନ୍ତି। ଏତେ ଖୋଲା ପ୍ରବେଶ ପଥ ଥିବା ସତ୍ତ୍ୱେ ସୁରକ୍ଷା ଦାୟିତ୍ୱ କାହାର ସେଥିପାଇଁ କେହି ଉତ୍ତର ଦେବେ କି? ଲକ୍ଷଣୀୟ ଯେ, ଏହା ପୂର୍ବରୁ ୨୦୨୩–୨୪ ମସିହାରେ ମହିଳା ହଷ୍ଟେଲରୁ ସିଲିଂ ଫ୍ୟାନ ଚୋରି, ୨୧.୦୮.୨୦୨୫ ରେ କଲେଜ ଲାଇବ୍ରେରୀରୁ ଲୁହା ଗ୍ରିଲ୍ ଚୋରି ଓ ୧୯.୧୧.୨୦୨୫ ରେ +୨ ବଟାନି ଲ୍ୟାବରେଟରୀରୁ ଗ୍ରିଲ୍ ଚୋରି ଘଟଣା ଘଟିଥିଲା। ଏତେ ଘଟଣା ପରେ ମଧ୍ୟ ଯଦି କୌଣସି ଚୋର ଧରା ପଡ଼ୁନାହିଁ, ତେବେ ସାଧାରଣ ଲୋକ ସନ୍ଦେହ କରିବେନି କାହିଁକି? ଅଭିଯୋଗ ହେଉଛି ଯେ, ସ୍ଥାନୀୟ ଥାନା ଏହି ସମସ୍ତ ମାମଲାକୁ ଗୁରୁତର ଭାବେ ନେଇନାହାଁନ୍ତି। ଚୋରମାନେ ନିର୍ଭୟରେ ଆସୁଛନ୍ତି, ଯାଉଛନ୍ତି ଯେମିତି କି କଲେଜ ପରିସର ସେମାନଙ୍କ ନିଜ ଜମି। ଶେଷରେ ବାଧ୍ୟ ହୋଇ କଲେଜ ପ୍ରଶାସନ ପକ୍ଷରୁ ଚୌଦ୍ୱାର ଥାନାରେ ପୁନର୍ବାର ଏତଲା ଦାଖଲ କରାଯାଇଛି। ଏତଲାରେ ତୁରନ୍ତ ତଦନ୍ତ, ଦୋଷୀଙ୍କୁ ଗିରଫ ଓ କଲେଜ ପରିସରରେ ସ୍ଥାୟୀ ପୋଲିସ ସୁରକ୍ଷା ବ୍ୟବସ୍ଥା ଦାବି କରାଯାଇଛି। ଏହା ସହ ରାଜ୍ୟ ସରକାର, ଡିଜିପି, ଜିଲ୍ଲା ପ୍ରଶାସନ ଓ କମିଶନରେଟ୍ ପୋଲିସଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି। ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି ଯଦି ସରକାରୀ ଅନୁଦାନପ୍ରାପ୍ତ କଲେଜ ମଧ୍ୟ ସୁରକ୍ଷିତ ନୁହେଁ, ତେବେ ଛାତ୍ରୀମାନଙ୍କ ସୁରକ୍ଷାର ଦାୟିତ୍ୱ କାହାର? ଏବେ ଦେଖିବାକୁ ବାକି ଚୋର ଧରା ପଡ଼ିବେ, ନା ଫାଇଲ୍‌ ରେ ଆଉ ଗୋଟିଏ ଏତଲା ଧୁଳି ଧରିବ।