ବିଜୟଲକ୍ଷ୍ମୀ ଶରଣ ପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବେଲଗୁଣ୍ଠା/୦୭/୦୨ (ବିନାୟକ ଗୌଡ଼, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବଙ୍କା ଗ୍ରାମ ପଞ୍ଚାୟତ ଓ ମଙ୍ଗଳପୁର କ୍ଲଷ୍ଟର ଅନ୍ତର୍ଗତ ବିଜୟଲକ୍ଷ୍ମୀ ଶରଣପୁର ଶାସନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ କୁବେର ମେହରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସମ୍ପୃକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞ୍ଜନ ପରିଡ଼ା ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବଙ୍କା ସରପଞ୍ଚଙ୍କ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା , ସମିତି ସଭ୍ୟ ପ୍ରଫୁଲ୍ଲ ଗୌଡ଼, ପରିଚାଳନା କମିଟି ସଦସ୍ୟ ମୃତ୍ୟୁଞ୍ଜୟ ରଥ, ବିଦ୍ୟାଳୟ ଆଲୁମିନି ସଦସ୍ୟ ପିତାମ୍ବର ପରିଡ଼ା ପ୍ରମୁଖ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଧାୟକ ଓ ଅନ୍ୟାନ୍ୟ ଅତିଥି ମାନେ ଶ୍ରୀଜଗନ୍ନାଥ ସ୍ୱାମୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଉତ୍ତରୀୟ ଓ ପୁଷ୍ପଗୁଛ ଆଧାରରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ କରାଯାଇଥିଲା । ଅଧ୍ୟୟନରତ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ଯଦି ନିଜ ମା ଓ ବାପାଙ୍କ ଆଦର୍ଶକୁ ଅନୁସରଣ କରିବେ ତେବେ ନିଶ୍ଚିତ ଜଣେ ଜଣେ ଭଲ ମଣିଷ ହେବା ସହିତ ଜୀବନରେ ସଫଳତା ହାସଲ କରିବେ ବୋଲି ବିଧାୟକ ନୀଳମଣି ବିଷୋୟୀ ନିଜ ଅଭିଭାଷଣରେ କହିବା ସହିତ ଛାତ୍ରଛାତ୍ରୀ ଗୁରୁଜନଙ୍କୁ ସମ୍ମାନ ଦେବା , ନୀତି ,ନୈତିକତା, ଶୃଙ୍ଖଳା ସହିତ ସଂସ୍କାରୀ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ବାର୍ଷିକ ବିବରଣୀକୁ ବିଦ୍ୟାଳୟ ସହକାରୀ ଶିକ୍ଷକ ଭିକାରୀ ଚରଣ ବେହେରା ପଠନ କରିଥିଲେ । ବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ଥିବା ବେଳେ ଯାହା ନିହାତି ଆବଶ୍ୟକ ସେହି ଆବଶ୍ୟକତାକୁ ପୂରଣ କରାଯିବ ବୋଲି କହିବା ସହିତ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ କିଛି ଆବଶ୍ୟକତାକୁ ସରପଞ୍ଚଙ୍କ ସହଯୋଗରେ ପୂରଣ ହୋଇ ପାରିବ ବୋଲି ବିଧାୟକ କହିଥିଲେ । କିଛି କୃତୀ ପ୍ରତିଯୋଗୀଙ୍କୁ ବିଧାୟକ ମାନପତ୍ର ଓ ସିଲଡ଼ ପ୍ରଦାନ କରି ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଦୟାନିଧି ପାଢ଼ୀ, ଲାବଣ୍ୟ ପ୍ରଧାନ,  ସୁଦେଷ୍ଣ। ବେହେରା, ବାୟା ସେଠୀ, ଏବଂ ସଂସାର ପୋଲାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।