
ଭଞ୍ଜନଗର,୧୪/୦୨ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଥାନା ଅଧିନ ସାର୍ଦ୍ଦୁଳ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ପିଟି ପିଟି ଗୁରୁତର କରିଦେଇଥିବା ବେଳେ ଶନିବାର ସକାଳ ସମୟରେ ତାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ଏହି ମାମଲାରେ ସଂପୃକ୍ତି ଅଭିଯୋଗରେ ୨୦ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ସଙ୍ଗବଦ୍ଧ ଭାବେ ତାକୁ ଆକ୍ରମଣରେ ତାର ମୃତ୍ୟୁ ହୋଇଥିବା ପ୍ରକାଶ କରିବା ସହ ଆକ୍ରମଣ ସମୟରେ ବ୍ୟବହୃତ ଠେଙ୍ଗା,ଲୁହା ପାଇପ,ଦଉଡି ଆଦିକୁ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି। ମୃତକ ଜଣଙ୍କ ହେଲେ ବେଣୁଧର ପ୍ରଧାନ(୫୪)। ତାଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ଥାନା ତତମାହା ଗ୍ରାମର ହୋଇଥିବା ବେଳେ ସେ ଜି.ଉଦୟଗିରି ଥାନା ଅଧିନ କୁରୁମୁଙ୍ଗିଆ ଗ୍ରାମରେ ରହି ଆସୁଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇ ପୁଲିସ ମୃତଦେହ ବ୍ୟବଚ୍ଛେଦ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏହି ଘଟଣାରେ ପରେ ଗ୍ରାମରେ ୨ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ଘଟଣା ପ୍ରତି ଦୃଢ ନଜର ରଖାଯାଇଥିବା ସେ କହିଛନ୍ତି।
ଏସ୍ଡିପିଓ ଡ,ଦିପକ କୁମାର ମିଶ୍ର ଏବଂ ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ ଉକ୍ତ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଧରିବା ସହ ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଏକ କାର୍ରେ ଉକ୍ତ ଗ୍ରାମକୁ ଚୋରି କରିବା ଉଦ୍ଦେଶ୍ୟରେ ଆସିଥିବା ଅଭିଯୋଗ ହୋଇଛି। ଗାଁର ସମ୍ମୁଖ ଭାଗରେ ଥିବା ତାଲା ବନ୍ଦ ଘରେ ପଶିଥିବା ସମୟରେ ଚୋରି କରିବାକୁ ଆସିଥିବା ସନ୍ଦେହ କରି ଜଣକୁ କାବୁ କରି ଦଉଡିରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହାପରେ ପୁଲିସକୁ ସୂଚନା ପାଇବା ପରେ ସକାଳେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଆହତ ଯୁବକଙ୍କୁ ମେଡିକାଲ ଆଣି ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଯୁବକ ଜଣଙ୍କ ମୃତ୍ୟୁବରଣ କରିଥିବା ଜଣାପଡିଛି। ଏହାପରେ ପୁଲିସ କେସ ନମ୍ବର ୧୪୫/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ମୃତ ଯୁବକଙ୍କ ଗୋଡ଼ ଭାଙ୍ଗିଯିବା ସହ ହାତ,ଆଖି ସହ ଶରୀରର ବିଭିନ୍ନ ସ୍ଥାନରେ ପ୍ରବଳ ଆଘାତ ଲାଗିଥିବା ପୁଲିସ କହିଛି। ତେଣୁ ଯୁବକ ଜଣଙ୍କ ଗୁରୁତର ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।
ଏହାପରେ ଭଞ୍ଜନଗର ଥାନା କର୍ମଚାରୀଙ୍କ ସମେତ ତାରସିଂ ଅତିରିକ୍ତ ଆଈଆଈସି ଅଭୟ କୁମାର ପ୍ରଧାନ, ଗାଙ୍ଗପୁର ଅତିରିକ୍ତ ଆଈଆଈସି ସରଳତା ପ୍ରଧାନ ଓ ବେଲଗୁଣ୍ଠା ଥାନା ଆଈଆଈସି ରେବତୀ ଶବରଙ୍କ ନେତୃତ୍ବରେ ବହୁ ପୁଲିସ କର୍ମଚାରୀ ଗ୍ରାମରେ ପହଞ୍ଚି ଏକାଧିକ ଲୋକଙ୍କୁ ଉଠାଇ ଥାନାକୁ ଆଣିଥିବା ବେଳେ ସନ୍ଧ୍ୟାରେ ୨୦ ଜଣକୁ କୋର୍ଟ ଚାଲାଣ କରାଯାଇଛି। ଏଥିସହ ତଦନ୍ତ ପରେ ଯଦି ଅନ୍ୟ କାହାର ସଂପୃକ୍ତି ମିଳେ ତେବେ ମାନଙ୍କୁ ମଧ୍ୟ ଆଗାମୀ ଦିନରେ ଗିରଫ କରାଯିବ ବୋଲି ଏସ୍ଡିପିଓ ଡ.ମିଶ୍ର ପ୍ରକାଶ କରିଛନ୍ତି। ଏଥିସହ ମଧ୍ୟାହ୍ନରେ ଛତ୍ରପୁରରୁ ଏକ ସାଇଣ୍ଟିଫିକ୍ ଟିମ୍ ସାର୍ଦ୍ଦୁଳ ଗ୍ରାମରେ ପହଞ୍ଚି ଛାନଭିନ କରିବା ସହ ରକ୍ତ ନମୁନା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଫେରିଛନ୍ତି। ଏଭଳି କାହା ଉପରେ ଚୋର ସନ୍ଦେହ ହେଲେ ଆଇନକୁ ହାତକୁ ନନେଇ ପୁଲିସରେ ଜିମା ଦେବାକୁ ଶ୍ରୀ ଦେ ପ୍ରକାଶ କରିଛନ୍ତି।