ଦିନ ବିତିଛି, ହେଲେ ଭୟ ଯାଇନି….. ଗସମାହା ମାଓ – ଅପରେସନ୍ କୁ ପୁରିଲା ୧୮ ବର୍ଷ

ଭଂଜନଗର – ୧୬/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଂଜାମ – କନ୍ଧମାଳ ସୀମାନ୍ତ ଗସମାହା ଅପରେସନକୁ ପୁରିଲା ୧୮ ବର୍ଷ । ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା, ଘମାଘୋଟ ଲଢେଇ । ଦୀର୍ଘଦିନ ଧରି ଚାଲିଲା ଅପରେସନ । ସେ ସମୟରେ ଦେଶର ସବୁଠୁ ଲମ୍ବା କୁମ୍ବିଂ ଅପରେସନ । ଦିନ ବିତିଛି, ହେଲେ ଚିହ୍ନ ଲିଭିନି । ସମୟ ବଦଳିଛି, ତଥାପି ଏଯାଏଁ ଭୟ ଯାଇନି । ୧୬ ଫେବୃଆରୀ ୨୦୦୮ । ସମୟ ଅପରାହ୍ନ ପ୍ରାୟ ୩ ଟା । ଗଂଜାମ – କନ୍ଧମାଳ ସୀମାନ୍ତ ଗସମାହା ପାହାଡ଼କୁ ଘେରି ଯିଇଥିଲେ ଶହଶହ ଏସ୍ଓଜି ବାହିନୀ, ସିଆରପିଏଫ ଯବାନ ଏବଂ ଓଡ଼ିଶା ପୋଲିସ । ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଲା ଗୁଳି ବିନିମୟ । ଛତ୍ରଭଙ୍ଗ ଦେଲେ ଲାଲ୍ ବାହିନୀ । ବଦଳରେ ଶହୀଦ୍ ହୋଇଗଲେ ୩ ଜଣ ଏସ୍ଓଜି ଯବାନ । ଜଙ୍ଗଲରୁ ଉଦ୍ଧାର ହେଲା, ମାଓବାଦୀ ଶହଶହ ବନ୍ଧୁକ ଏବଂ ବିସ୍ଫୋରକ ସାମଗ୍ରୀ । ଏହି ଘଟଣା ସେତେବେଳେ ସମଗ୍ର ଦେଶକୁ ଦେହଲାଇ ଦେଇଥିଲା । ପୂର୍ବଦିନ ସନ୍ଧ୍ୟାରେ ନୟାଗଡ଼ ପୋଲିସ ଅସ୍ତ୍ରାଗାର ଲୁଟିବା ଲକ୍ଷରେ ସେଠାକାର ଥାନା ଏବଂ ପୋଲିସ ଟ୍ରେନିଂ କ୍ୟାମ୍ପରେ ଅତର୍କିତ ଆକ୍ରମଣ କରିଥିଲେ ଶତାଧିକ ମାଓବାଦୀ । ଥାନା ଭିତରେ ପଶି ହତ୍ୟା ସାଙ୍ଗକୁ, ପୋଡ଼ାଜଳା କଲେ । ଶହଶହ ଅସ୍ତ୍ରଶସ୍ତ୍ର ଲୁଟି, ୨ ଟି ୪୦୭ ଗାଡ଼ିରେ ଗସମାହା ଅଭିମୁଖେ ବାହାରିଥିଲେ । ରାସ୍ତାରେ ନୂଆଗାଁ, ଦଶପଲ୍ଲା ଥାନା ଏବଂ ଗାଲେରୀ ଫାଣ୍ଡି ଉପରେ ଆକ୍ରମଣ କରିଥିଲେ । ଭୋର ସମୟରେ ଗସମାହାରେ ପହଞ୍ଚିଥିଲେ । ଯାହାକି ଗସମାହା ଜଙ୍ଗଲ ଥିଲା, ମାଓ ସଂଗଠନରେ ବେସ୍-କ୍ୟାମ୍ପ । ପରବର୍ତ୍ତୀ ୧୬ ତାରିଖ ଅପରାହ୍ନରେ ଆରମ୍ଭ ହୋଇଥିଲା, ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହା ଭିତରେ ଅନେକ ଦିନ ବିତିଗଲାଣି । ମାଓ ଉପଦ୍ରୁତ ଅଞ୍ଚଳର ଦ୍ୱାହି ଦେଇ ସଂପୃକ୍ତ ଅଞ୍ଚଳରେ ଆଣ୍ଠେଇ ପଡ଼ିଲା, ବିକାଶ । ଲୋକଙ୍କ ପାଖରେ ପହଞ୍ଚି ପାରିଲାନି, ସର୍ବନିମ୍ନ ମୈ।ଳିକ ଆବଶ୍ୟକତା । ସରକାରୀ ବାବୁ ମାନଙ୍କର, ପାଦ ପଡ଼ିଲା ନାହିଁ । ଦୀର୍ଘବର୍ଷ ବ୍ୟବଧାନରେ ଅଞ୍ଚଳର କିଛି କିଛି ବିକାଶ ହେଲା । ତଥାପି ଆଶାନୁରୂପକ ହୋଇ ପାରିନାହିଁ । ଗମନାଗମନ, ପାଣି, ବିଜୁଳି, ସାଧାରଣ ଲୋକଙ୍କ ମୈ।ଳିକ ଆବଶ୍ୟକତା ଭଳି ବିକାଶ ମୂଳକ କାର୍ଯ୍ୟ, ଅନେକାଂଶରେ ଝୁଣ୍ଟି ପଡ଼ିଛି । ଏବେବି ଲୋକେ ଚୁଆଁ ପାଣି ପିଇ, ଜୀବନ ବିତାଉଛନ୍ତି । ଖଟିଆରେ ବୁହା ହେଉଛନ୍ତି, ଗୁରୁତର ରୋଗୀ ଏବଂ ଗର୍ଭବତୀ । କୁହାଯାଏ, ଏବେବି ସଂପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ଜାରି ରହିଛି । ଭୟ ଓ ଆଶଙ୍କାରେ, ଲୋକଙ୍କ ଦିନ ବିତୁଛି । ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲା, ମାଓ ମୁକ୍ତ ହେବାରେ ଲାଗିଛି । ଅନେକ ମାଓ ନେତା ଏବଂ କ୍ୟାଡ଼ର ଙ୍କ ଜୀବନ ଯାଇଛି । ଅଧିକାଂଶ ଆତ୍ମସମର୍ପଣ କରିଛନ୍ତି । ଏବେ ପୋଲିସ୍ ଉଚ୍ଚାଧିକାରୀ ଙ୍କ କହିବା କଥା, ଅନ୍ୟ ଅଞ୍ଚଳ ଭଳି, ଖୁବ୍ ଶୀଘ୍ର ମାଓ-ମୁକ୍ତ ହେବ, ଉପଦ୍ରୁତ ଅଞ୍ଚଳ ।