
ଭଞ୍ଜନଗର ( ବବି ରଥ/ ବିନାୟକ ଗୌଡ, ଓଡିଶା ଟୁଡେ) ୨୩/୦୮/୨୦୨୩ : ଆସନ୍ତା ୨୬ ତାରିଖରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଭଞ୍ଜନଗର ଜନ ଶୁଣାଣି କରିବାକୁ ଆସୁଥିବାରୁ ‘ଘୁମୁସର’କୁ ଜିଲ୍ଲା ଘୋଷାଣା ସଙ୍କ୍ରାନ୍ତରେ ଏକ ଦାବି ପତ୍ର ପ୍ରଦାନ କରାଯିବା ନିମନ୍ତେ ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଭଞ୍ଜନଗର ବାଉଁଶଲୁଣ୍ଡି ସ୍ଥିତ ‘ଫୁଡିଉଡ୍ କନଫରେନ୍ସ୍ ହଲ୍’ ଠାରେ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ, କମିଟି ମୁଖପାତ୍ର ଶିବରାମ ପଣ୍ଡା, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଓ ପ୍ରଶାନ୍ତ ବିଷୋୟୀ, କୋଷାଧ୍ୟକ୍ଷ ବି. ସୁଶାନ୍ତ ପାତ୍ର, ଉପସଭାପତି ଡ଼. ନଳିନୀ ପ୍ରଭା ଦାସ, ସମ୍ପାଦକ ହରିକୃଷ୍ଣ ସାହୁ, ରବିନାରାୟଣ ସାମନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀ ସୋମନାଥ ନାୟକ, ଶ୍ରୀ ଶିବରାମ ପଣ୍ଡା ପୂର୍ବ ଦିନରେ କମିଟିର କାର୍ଯ୍ୟପନ୍ଥା କ’ଣ ରହିଥିଲା ଏବଂ ଆଗାମୀ ଦିନରେ କାର୍ଯ୍ୟପନ୍ଥା କିପରି ରହିବ ସେ ନେଇ ବିବୃତ୍ତି ରଖିଥିଲେ, ଡ଼. ନଳିନୀ ପ୍ରଭା ଦାସ ସମସ୍ତଙ୍କୁ ଏକଜୁଟ୍ ହୋଇ ନିସ୍ବାର୍ଥ ଭାବରେ ଜିଲ୍ଲା ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶ୍ରୀ ବିଷୋୟୀ ମଧ୍ୟ ଆଗାମୀ ଦିନରେ କମିଟିର କାର୍ଯ୍ୟପନ୍ଥା ସୁଚାରୁ ରୂପେ ସମ୍ପାଦନ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।
ଆସନ୍ତା ୨୬ ତାରିଖରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଭଞ୍ଜନଗର ଜନ ଶୁଣାଣି କରିବାକୁ ଆସୁଥିବାରୁ ‘ଘୁମୁସର’କୁ ଜିଲ୍ଲା ଘୋଷାଣା ସଙ୍କ୍ରାନ୍ତରେ ଏକ ଦାବି ପତ୍ର ପ୍ରଦାନ କରାଯିବା ପ୍ରସ୍ତାବ ରହିଛି । ୫-ଟି ସଚିବ ଭି କେ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଘୁମୁସର ଜିଲ୍ଲା ଘୋଷଣା ହେବା ଉଚିତ ବୋଲି ହୃଦୟଙ୍ଗମ କରିଥିଲେ, ଭଞ୍ଜନଗରକୁ ହେଡ୍ କ୍ବାର୍ଟର ରଖି ଘୁମୁସର ଜିଲ୍ଲା ଘୋଷଣାକୁ ଉପର ସ୍ତରରେ ପହଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ନାୟକ ପୂର୍ବ ଦିନେ ୫-ଟି ସଚିବଙ୍କୁ ଘୁମୁସର ଜିଲ୍ଲା ଘୋଷଣା ସଙ୍କ୍ରାନ୍ତ ଏକ ଚିଠି ଲେଖି ଉଲ୍ଲେଖ କରିଥିଲେ ‘ଆହେ ସୌଦାଗର, ନିଜ ବଚ୍ଚନ ନିଜେ ରକ୍ଷାକର’ । ଯେହେତୁ ୫-ଟି ସଚିବ ନିଜେ ଭଞ୍ଜନଗର ଆସୁଛନ୍ତି, ତେଣୁ ଏହି ଅବସରରେ ଜିଲ୍ଲା ଘୋଷଣା ଦାବି ତାଙ୍କ ନିକଟରେ ରଖିବାକୁ ଉପଯୁକ୍ତ ସମୟ ବୋଲି ଚିନ୍ତା କରି ପ୍ରସ୍ତୁତ ହେଉଛି ମିଳିତ କ୍ରିୟାନୁଷ୍ଠାନ କମିଟି ।
ପ୍ରକାଶ ଥାଉ କି ୧୯୯୩ ମସିହା ଠାରୁ ଆରମ୍ଭ ହୋଇଥିବା ଜିଲ୍ଲା ଆନ୍ଦୋଳନରେ ତତ୍କାଳିନ ଭଞ୍ଜନଗର ବିଧାୟକ ରାମକୃଷ୍ଣ ଗୌଡ, ତତ୍କାଳିନ ଜଗନ୍ନାଥ ପ୍ରସାଦ ବିଧାୟକ ମାଧବାନନ୍ଦ ବେହେରା, ତତ୍କାଳିନ ସୋରଡା ବିଧାୟକ ଗନ୍ତାୟତ ସ୍ବାଇଁ, ତତ୍କାଳିନ ଭଞ୍ଜନଗର ବ୍ଲକ୍ ଚେୟାରମେନ୍ ବିକ୍ରମ କେଶରୀ ଆରୁଖ, ତତ୍କାଳିନ ଭଞ୍ଜନଗର ଏନ୍.ଏ.ସି. ଚେୟାରମେନ୍ ଏମ୍.ଡି. ଲତିଫ୍, ବର୍ତ୍ତମାନର କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଓ ଅନ୍ୟମାନେ ପୃଷ୍ଠପୋଷକ ଥିଲେ । ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଏ ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ହେଲେ ସମୟ ବଦଳିଛି, ଏବେ ବିଜୁ ବାବୁଙ୍କ ପୁଅ ମୁଖ୍ୟମନ୍ତ୍ରୀ, ତତ୍କାଳିନ ଭଞ୍ଜନଗର ବ୍ଲକ୍ ଚେୟାରମେନ୍ ବିକ୍ରମ କେଶରୀ ଆରୁଖ ଆଜିର ଭଞ୍ଜନଗରର ଛଅ ଛଅ ଥରର ବିଧାୟକ, ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ବି ହୋଇଛନ୍ତି, ଜିଲ୍ଲା ଦାବିକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ତତ୍କାଳିନ ଜିଲ୍ଲାପାଳ ମହୋଦୟ ମଧ୍ୟ ଆଜି ୫-ଟି ସଚିବ ହେଲେ ଅଞ୍ଚଳବାସୀଙ୍କ ଜିଲ୍ଲା ଘୋଷଣା ସ୍ବପ୍ନ ତିନି ଦଶନ୍ଧି ପୂର୍ତ୍ତି କରିଛି ।