
ପାରଳାଖେମୁଣ୍ଡି (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ରୋଜଗାର ଆଶାରେ ମଧ୍ୟପ୍ରାଚ୍ୟର ବିଭିନ୍ନ ସ୍ଥାନରେ ରହୁଥିବା ବେଳେ ଦୁବାଇ ସମେତ ଆବୁଧାବି ଅଞ୍ଚଳରେ ମିସାଇଲ୍ ଓ ବୋମା ଆକ୍ରମଣ ଯେଗୁଁ ସେମାନେ ଭୟଭୀତ ଅଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଳକ ଅଞ୍ଚଳରୁ ୫୦୦ ରୁ ଊର୍ଦ୍ଧ୍ବ ଶ୍ରମିକ କେବଳ ଦୁବାଇରେ କାର୍ଯ୍ୟ କରୁଥିବା ବେଳେ ତିନି ଦିନ ହେଲା ଯୁଦ୍ଧ ଆରମ୍ଭ ହୋଇଛି।
ସେମାନଙ୍କ କହିବା ପ୍ରକାରେ, ୨୮ ତାରିଖ ମଧ୍ୟାହ୍ନରେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ହଠାତ ବଡ ଧରଣର ବିସ୍ପୋରଣ ହୋଇଥିଲା ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଥିବା ବେଳେ କିଛି ସମୟ ପରେ ଏଲର୍ଟ ମେଶେଜ ଆସିଥିଲା, ପରେ ସବୁ ଆଡେ ସାଇରନ ବାଜିଲା , ତା ପରଠାରୁ ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇ ଦୁବାଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଥିଲା ଏହି ଘଟଣା ପ୍ରସାରିତ ହେବା ପରେ ସାରା ଦେଶରେ ଚହଳ ସୃଷ୍ଟି ହୋଇଛି । ଗଜପତିରେ ଥିବା ସେମାନଙ୍କ ପରିବାର ବର୍ଗ ଓ ସମ୍ପର୍କିୟ ମାନେ ଏହାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ଏଭଳି ପରିସ୍ଥିତିରେ କେତେବେଳେ ଯେ କଣ ଘଟିବ କିଏ ଜାଣିଛି , ତାହାକୁ ନେଇ ଭୟଭୀତ ହୋଇ ରହିଛନ୍ତି। ସେଥିପାଇଁ ଦୁବାଇରେ ରହୁଥିବା ପରିଜନ ସହ ବାରମ୍ବାର ଯୋଗାଯୋଗ କରି ଖବର ନେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ତାଟିପେତି , ଜଙ୍ଗଲପାଡୁ , କଇଠଡା , ଗୁରାଣ୍ଡି , ସୀତାପୁର , କେରାଣ୍ଡି ,ବୋମିକା, ଉପଲଡ଼ା, ସାତମାଇଲ, ଏହିସବୁ ଗ୍ରାମ ସହିତ ବିଭିନ୍ନ ବ୍ଲକ୍କର ଅନେକ ଲୋକ ଦୁବାଇରେ କାମ କରୁଥିବା ଜଣା ପଡିଛି । କିଛି ଲୋକ କୁଶଳୀ ଶ୍ରମିକ ଭାବରେ ଠିକା ସଂସ୍ଥା ମାଧ୍ୟମରେ କମ୍ପାନୀମାନଙ୍କରେ ନିୟୋଜିତ ହୋଇଥିବା ବେଳେ କିଛି ଲୋକ କମ୍ପାନୀରେ ସିଧାସଳଖ ନିୟୋଜିତ ଅଛନ୍ତି । ମୋଟା ମୋଟି ଭାବରେ ଜିଲ୍ଲାର ୫୦୦ ରୁ ଅଧିକ ଜନସାଧାରଣ ଦୁବାଇ ଓ ଆବୁଧାବୀରେ ଶ୍ରମିକ ଭାବେ କାମ କରୁଛନ୍ତି। କିନ୍ତୁ ଗତ ଦୁଇ ଦିନ ହେଲା ଆରମ୍ଭ ହୋଇଥିବା ଯୁଦ୍ଧର ସ୍ଥିତି ସମସ୍ତଙ୍କୁ ଅଡୁଆରେ ପକାଇ ଦେଇଛି , ଏକ ପ୍ରକାର ସେମାନେ ଫସି ରହିଥିବା କୁହାଯାଉଛି । କାରଣ ଓଡ଼ିଆମାନେ ରହୁଥିବା କମ୍ପାନୀ ନିକଟ ଅଞ୍ଚଳରେ କିଛି ସମୟ ବ୍ଯବଧାନରେ ବାରମ୍ବାର ରକେଟ ମାଡ ହେଉଛି ଫଳରେ ସମସ୍ତେ ଭୟଭୀତ ଅଛନ୍ତି । ସେମାନେ ଫେରିବାକୁ ଚାହୁଁ ଥିଲେ ମଧ୍ୟ ସମସ୍ତ ବେସାମରିକ ବିମାନ ଚଳାଚଳ ବନ୍ଦ ରହିଥିବାରୁ ଆସିବା ପାଇଁ କୌଣସ ବିକଳ୍ପ ବ୍ୟବସ୍ଥା ପାଉନାହାନ୍ତି ।
ଅନ୍ୟ ପକ୍ଷରେ କିଛି ଲୋକଙ୍କୁ କମ୍ପାନୀ ପକ୍ଷରୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି । ସେହିଭଳି କିଛି ଅଞ୍ଚଳ ସୁରକ୍ଷିତ ନଥିବାରୁ ଘରୁ ବାହାରି ପାରୁନାହାନ୍ତି । ସେଠାରେ ଥିବା କେ ମୁରଲୀଙ୍କ କହିବା ହେଲା ଦୁବାଇର ଜନବସତି ଠାରୁ ପ୍ରାୟ ୧ ରୁ ୨ କିମି ଦୂରରେ ବଡ ବଡ ମିସାଇଲ୍ ମାଡ ହେଉଛି। ରାତି ସାରା ମିସାଇଲ୍, ଡ୍ରୋନ୍ ବର୍ଷା ହେଉଛି , ସମୟ ସମୟରେ ଘର ସବୁ ଥରି ଉଠୁଛି, ଆମକୁ ସୁରକ୍ଷିତ ରହିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି। ଆଜି ସକାଳୁ ପରିସ୍ଥିତି ଟିକେ ଭଲ ଥିଲା । ଆଉ କିଛି ଲୋକଙ୍କ କହିବା ହେଲା ଆମେ ବର୍ତ୍ତମାନ ସୁରକ୍ଷିତ ଅଛୁ ଆମ ଠାରୁ ବହୁ ଦୂରରେ ଘଟଣା ମାନ ଘଟୁଛି ତଥାପି ଆମକୁ ସତର୍କ ରହିବାକୁ କୁହାଯାଇଛି , ଆଗକୁ କଣ ପରିସ୍ଥିତି ହେବ କହି ହେବନି ।