ଭଞ୍ଜନଗରରେ ବଢ଼ୁଛି ତାତି, ଘୁମୁସର ବନଖଣ୍ଡର ୩ ଜଙ୍ଗଲରେ ନିଆଁ, ବଢିଲା ବନ ବିଭାଗର ଚିନ୍ତା

ଭଞ୍ଜନଗର ୦୭/୦୩ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ୩ ଟି ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିଲା। ସେଗୁଡିକ ହେଲା ଭଞ୍ଜନଗର ସହର ଗାନ୍ଧୀ କୈଳାସ ପାହାଡ, କୁଲାଡ ଉପର ବାଗଦେବୀ ପାହାଡ ଏବଂ ଘୋଗଡ ଜଙ୍ଗଲ। ସେଥିମଧ୍ୟରୁ ଘୋଗଡ଼ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ସନ୍ଧ୍ୟାରେ ଗାନ୍ଧୀ କୈଳାସ ପାହାଡ଼ ନିଆଁକୁ ଭଞ୍ଜନଗର ଦମକଳ ବାହୀନି ନିୟନ୍ତ୍ରଣ କରିଛି। କୁଲାଡ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ବିଭାଗୀୟ କର୍ମଚାରୀ ମାନେ ଚେଷ୍ଟା ଚଳାଇଛନ୍ତି। ଅପରପକ୍ଷେ ଆଜି ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ବଢ଼ିଯାଇଛି। ତାପମାତ୍ରା ହଠାତ୍ ବୃଦ୍ଧି ପାଇବା ବେଳେ ଅନ୍ୟପଟେ ଜଙ୍ଗଲ ନିଆଁ ଚିନ୍ତା ବଢ଼ାଇଛି। ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ପ୍ରତି କିଛି ଘଣ୍ଟା ବ୍ୟବଧାନରେ ଜଙ୍ଗଲ ନିଆଁ ଉପରେ ସମିକ୍ଷା କରୁଛନ୍ତି। ନିଆଁ ଯେଭଳି ଅଧିକ ଅଞ୍ଚଳରେ ନ ଲାଗିବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।