କନ୍ଧମାଳ ପୋଲିସ ପାଖରେ ଆତ୍ମ ସମର୍ପଣ କଲେ ଦଶ ଜଣ ହାର୍ଡ କୋର ମାଓବାଦୀ, ମାଓବାଦୀଙ୍କ ମଧ୍ୟରେ ସାତ ମହିଳା, ତିନି ପୁରୁଷ

କନ୍ଧମାଳ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ୟ ପୋଲିସ ମୁଖିଆଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଏସପି ହରିଶ ବିଶି ଙ୍କ ନେତୃତ୍ବରେ ମାଓ ଅପରେସନ କୁ ଜୋରଦାର କରାଯାଇଥିବା ବେଳେ ସୁରକ୍ଷା ବାହିନୀ ପକ୍ଷରୁ ଘନଘନ ଆକ୍ରମଣ ରେ ଭୟଭୀତ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଗୋଟେ ପରେ ଗୋଟେ ହାର୍ଡ କୋର ମାଓବାଦୀ ପୋଲିସ ପାଖରେ ଆତ୍ମ ସମର୍ପଣ କରିବାରେ ଲାଗିଛନ୍ତି । ଏହି ପରିପେକ୍ଷୀରେ ଆଜି ଜଣେ ରାଜ୍ୟ କମିଟି ମେମ୍ବର, ଜଣେ ଡିଭିଜିନାଲ କମିଟି ମେମ୍ବର, ଦୁଇଜଣ ଏରିଆ କମିଟି ମେମ୍ବର ଓ ଛଅ ଜଣ ପାର୍ଟି ମେମ୍ବର ସମେତ ଜଣେ ହାର୍ଡ କୋର ମାଓବାଦୀ ସହ ମୋଟ ଦଶ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ସାତ ମହିଳା ଓ ତିନି ପୁରୁଷ ମାଓ ବାଦୀ ରହିଛନ୍ତି । ମାଓ ନେତାଙ୍କ ଅସହଯୋଗ, ମନମୁଖୀ ଶାସନ, କ୍ୟାଡର ମାନଙ୍କୁ ବିଶ୍ବାସକୁ ନ ନେବା, ମୁଖ୍ୟ ଲକ୍ଷରୁ ଓହରି ଯାଇ ହିଂସାର ରାସ୍ତା ଧରିବା, ମହିଳା ମାଓବାଦୀ ମାନଙ୍କୁ ଖରାପ ଦୃଷ୍ଟିରେ ଦେଖିବା କାରଣ ସେମାନଙ୍କୁ ସରକାରଙ୍କ ଆତ୍ମସମର୍ପଣ ଯୋଜନା ରେ ସାମିଲ ପାଇଁ ବାଧ୍ୟ କରିଛି। ଏମାନଙ୍କ ମୁଣ୍ଡରେ ରାଜ୍ୟ ସରକାର ସମୁଦାୟ ଏକ କୋଟି ୬୫ ଲକ୍ଷ୍ୟ ୬୨ ହଜାର ୨୭୫ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ଏହି ମାଓବାଦୀ ଙ୍କ ଆତ୍ମସମର୍ପଣ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଏଡିଜି ଅପରେସନ ସଂଜୀବ ପଣ୍ଡା । ତେବେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ମାନଙ୍କ ମାଧ୍ୟରେ କେକେବିଏନ ମାଓବାଦୀ ସଂଗଠନର ରାଜ୍ୟ କମିଟି ସଦସ୍ୟ କୁହାଯାଉଥିବା ସୋନୁ ପୋଟ୍ଟମ ଓରଫ ନିତୁ ଯାହାଙ୍କ ପାଇଁ ୬୫ ଲକ୍ଷ୍ୟ ଟଙ୍କାର ମୁଣ୍ଡ ଜାମିନ ଥିଲା ସେହିପରି ଏରିଆ କମିଟି ମେମ୍ବର ସଂଗୀତା ଯାହାଙ୍କ ମୁଣ୍ଡରେ ୨୧ ଲକ୍ଷ୍ୟ ପୁରସ୍କାର ରାଶି ଘୋଷଣା କରାଯାଇଥୁଲା, ଏରିଆ କମିଟି ମେମ୍ବର ସୁନୀଲ ଟେଲମା ଯାହାଙ୍କ ପାଇଁ ୨୧ ଲକ୍ଷ୍ୟ, ପାର୍ଟି ମେମ୍ବର ଶିଳ୍ପା ଯାହାଙ୍କର ଦୁଇଲକ୍ଷ୍ୟ ୭୫ ହଜାର, ପାର୍ଟି ମେମ୍ବର ଯମୁନା ଯାହାଙ୍କର ଦୁଇ ଲକ୍ଷ୍ୟ ୭୫ ହଜାର, ପାର୍ଟି ମେମ୍ବର ଗଣେଶ କୁଞ୍ଜମ ଯାହାଙ୍କର ଦୁଇ ଲକ୍ଷ୍ୟ ୭୫ ହଜାର, ପାର୍ଟି ମେମ୍ବର ସୁଶୀଳା ଦୁଦି ଯାହାଙ୍କ ମୁଣ୍ଡରେ ଦୁଇ ଲକ୍ଷ୍ୟ ୭୫ ହଜାର, ପାର୍ଟି ମେମ୍ବର ସରିତା କୁହୁଦମ ଯାହାଙ୍କ ମୁଣ୍ଡରେ ଦୁଇଲକ୍ଷ୍ୟ ୭୫ ହଜାର ଓ ପାର୍ଟି ମେମ୍ବର ରଜନୀ ଯାହାଙ୍କ ମୁଣ୍ଡରେ ଦୁଇ ଲକ୍ଷ୍ୟ ୭୫ ହଜାର ମୁଣ୍ଡ ଜାମିନ ରହିଥିଲା ଏମାନେ ସମସ୍ତେ ହିଂସାତ୍ମକ ମନୋଭାବ ଛାଡ଼ି ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ଫୁଲବାଣୀରେ ଥିବା ରିଜର୍ଭ ପଡିଆରେ ଏହି ମାଓ ବାଦୀ ମାନଙ୍କ ଆତ୍ମସମର୍ପଣକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏଡିଜି ଅପରେସନ ସଂଜୀବ ପଣ୍ଡାଙ୍କ ସହ ଆଇଜିପି ଦୀପକ କୁମାର, ଆଇଜି ସିଆରପିଏଫ ଅମିତେନ୍ଦ୍ରନାଥ ସିହ୍ନା, ଦକ୍ଷିଣାଞ୍ଚଳ ଆଇଜିପି ନୀତି ଶେଖର, ଡିଆଇଜି ଅଖ୍ଲେଶ୍ବର ସିଂ, ଡିଆଇଜି ସିଆରପିଏଫ ଦିଲୀପ ସିଂ, ଏସପି କନ୍ଧମାଳ ହରିଶ ବିଶି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କନ୍ଧମାଳ ରମେନ୍ଦ୍ର ପ୍ରସାଦ, ଏସ୍ଡ଼ପିଓ ବାଲିଗୁଡା ଭୋସଲେ ଶୁଭମ ସଞ୍ଜୟ ଉପସ୍ଥିତ ଥିଲେ । ଜଙ୍ଗଲ ରେ ଥିବା ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ପୋଲିସ ପକ୍ଷରୁ ଆହ୍ବାନ ଦେଇ ସରକାର ଙ୍କ ଆତ୍ମସମର୍ପଣ ପଲିସୀ ରେ ତୁରନ୍ତ ସାମିଲ ହୋଇ ସମାଜର ମୁଖ୍ୟସ୍ରୋତ ରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ମାଓମୁକ୍ତ ହେବାର ଡେଡ ଲାଇନ ସରିବା ମଧ୍ୟରେ ବାକି ରହିଯାଇଥିବା ସାଥି ମାଓବାଦି ମାନେ ମଧ୍ୟ ଆତ୍ମସମର୍ପଣ କରନ୍ତୁ ବୋଲି ଆତ୍ମ ସମର୍ପଣ କରିଥିବା ମାଓ ବାଦୀ ମାନେ ଆହ୍ୱାନ କରିଛନ୍ତି I ତେବେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା କନ୍ଧମାଳ ଜିଲ୍ଲା କୁ ମାଓ ମୁକ୍ତ କରିବା ପାଇଁ କମ୍ବିଙ୍ଗ ଓ ସର୍ଚ୍ଚ ଅପରେସନ କୁ ଜୋରଦାର କରାଯାଇଥିବା ବେଳେ ଟପ୍ ମାଓନେତା ଶୂକ୍ରୁ କୁ ଆତ୍ମ ସମର୍ପଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ଏଡିଜିପି ଅପରେସନ ସଂଜୀବ ପଣ୍ଡା ।