ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ମହିଳା ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଭଞ୍ଜନଗର ୧୪/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ଜଣେ କାର୍ଯ୍ୟରତ ମହିଳା ଡାକ୍ତର ରୋଗୀଙ୍କ ସମ୍ପର୍କୀୟ ଓ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଜଣେ ବୃଦ୍ଧ ଦମ୍ପତି ସେମାନଙ୍କ ଗୁରୁତର ପୁଅକୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ପୁଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବା ଜରୁରୀ ଥିଲା। ଏହି ସମୟରେ ପରାମର୍ଶ ପାଇଁ କାର୍ଯ୍ୟରତ ଡାକ୍ତରଙ୍କ ପାଖକୁ ଯାଇଥିବା ବୃଦ୍ଧ ବାପାଙ୍କୁ ଡାକ୍ତର ଜଣକ ହଠାତ୍ ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ବଞ୍ଚାଇବାକୁ ଯାଇଥିବା ବୃଦ୍ଧା ସ୍ତ୍ରୀ ମଧ୍ୟ ମାଡ଼ର ଶିକାର ହୋଇଥିବା ବେଳେ କିଛି ସମୟ ପରେ ଭେଜିପୁଟର ରେଣୁକା ଭୁୟାଁ ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ମଧ୍ୟ ତାଙ୍କ ଭାଣିଜୀ ଙ୍କ ସହ ମେଡିକାଲକୁ ଯାଇଥିଲେ। ହେଲେ ସେଠାରେ ଚିକିତ୍ସା କରୁଥିବା ମହିଳା ଡାକ୍ତର କିରଣ ମହାପାତ୍ର ତାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ପୁଅ ଥାନାରେ ଏତଲା ଦେଇଛନ୍ତି।ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।ଏହି ଘଟଣାକୁ ମହିଳା ଡାକ୍ତର ଜଣକ ଅସ୍ବିକାର କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରିବା ସହ ମେଡିକାଲର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି।