
ଚୌଦ୍ୱାର (ଶିବବ୍ରତ ଦାସ ): ପ୍ରେମର ନାଁରେ ନାବାଳିକା ଙ୍କ ଜୀବନ ସହ ଖେଳିବା ଘଟଣା ସମାଜରେ ବଢ଼ିଚାଲିଥିବାବେଳେ ଟାଙ୍ଗୀ ଅଞ୍ଚଳରୁ ଏମିତି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ “ପ୍ରେମ” ନାମର ମିଠା ଶବ୍ଦ ଆଡରେ ଲୁଚିଥିବା ଅପରାଧ ଏବେ ଆଇନର କଠୋର ଜାଲରେ ଧରାପଡ଼ିଛି। ଟାଙ୍ଗୀ ଥାନାରେ ରୁଜୁ ହୋଇଥିବା କେସ୍ ନଂ ୧୪୭/୨୦୨୬ ଅନୁସାରେ କେନ୍ଦୁଝର ଜିଲ୍ଲା ଘାସିପୁରା ଥାନା ଅଧୀନ ଓସ୍ତାପୁରା ଗ୍ରାମର ତୁରୀ ମୁଣ୍ଡା ଓରଫ ରାଜୁ ଖୁଣ୍ଟିଆ ବୟସ (୨୦) କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ ଅନୁଯାୟୀ, ଟାଙ୍ଗୀ ଥାନା କନମିରା ଗ୍ରାମର ବାଜା ଗୁଇଆଙ୍କ ନାବାଳିକା କନ୍ୟାକୁ ଫେବୃଆରୀ ମାସରେ ରାଜୁ ଖୁଣ୍ଟିଆ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଝିଅର ଖୋଜଖବର ପାଇଁ ପରିବାର ଲୋକେ ବ୍ୟାକୁଳ ହୋଇ ବୁଲୁଥିବା ବେଳେ ୧୪ ମାର୍ଚ୍ଚରେ ଝିଅର ସମ୍ପର୍କୀୟ ଅଭିଷେକ ପିଙ୍ଗୁଆ ଓସ୍ତାପୁରାକୁ ଯାଇଥିଲେ। କିନ୍ତୁ ଝିଅକୁ ସହି ସଲାମତ୍ ଫେରାଇ ଆଣିବା ଦୂରର କଥା, ଅଭିଯୋଗ ଅନୁଯାୟୀ ରାଜୁ ଖୁଣ୍ଟିଆ ଓ ତାଙ୍କ ପରିବାର ଲୋକେ ଅଭିଷେକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରି ଘରେ ଅଟକ ରଖିଥିବା କୁହାଯାଇଛି। ଘଟଣା ପରେ ପରିବାର ଲୋକେ ଟାଙ୍ଗୀ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ୍ ବି.ଏନ.ଏସ ଧାରା ୧୩୭(୨), ୬୫(୨), ୧୧୫(୨), ୩୫୧(୩), ୩(୫) ସହ ପୋକ୍ସୋ ଆଇନର ଧାରା–୬ ଲାଗୁ କରିଛି। ଅର୍ଥାତ୍ ଏହା ଏବେ ସାଧାରଣ ପ୍ରେମ ଘଟଣା ନୁହେଁ, ଗୁରୁତର ଅପରାଧର ମାମଲା। ଆଜିକାଲି କିଛି ଯୁବକ ପ୍ରେମର ନାଁରେ ନାବାଳିକା ଙ୍କୁ ଫସାଇ ନେବାକୁ ଏକ ଖେଳ ଭାବିନେଇଛନ୍ତି। କିନ୍ତୁ ଭୁଲିଯାଆନ୍ତି ଆଇନ ଆଗରେ ଏହା ପ୍ରେମ ନୁହେଁ, ସିଧାସଳଖ ଅପରାଧ। ରାଜ୍ୟରେ ନାବାଳିକା ଙ୍କ ଭବିଷ୍ୟତ ସହ ଏଭଳି ଖେଳ କେତେଦିନ ଚାଲିବ? ନା କି ଆଇନର କଠୋର ପାଠ ଏହିପରି ଘଟଣାକୁ ଆଗାମୀ ଦିନରେ ରୋକିପାରିବ?