
ଚୌଦ୍ୱାର (ଶିବବ୍ରତ ଦାସ )ଚୌଦ୍ଵାର ପୋଲିସ ପଞ୍ଝାରେ ୩ ଠକ । ଲୋଭ ଦେଖାଇ ଅଭିନବ ଉପାୟରେ ଲୋକଙ୍କ ଠାରୁ ଅର୍ଥ ଠକି ନେଉଥିବା ଅଭିଯୋଗରେ ଚୌଦ୍ଵାର ପୋଲିସ୍ ୩ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଯାଜପୁର କୋରେଇ ଅଞ୍ଚଳର ଅଜୟ ମହାପାତ୍ର, ଗଞ୍ଜାମ ଜିଲ୍ଲା ଜରଡ଼ା ଗ୍ରାମର ବି. ରବୀନ୍ଦ୍ର କୁମାର ପାତ୍ର ଓ ମହାରାଷ୍ଟ୍ର କୋହ୍ଲାପୁର ଅଞ୍ଚଳର ଶଶାଙ୍କ ଭୁପାଲ ସିଲାକେ । ପୋଲିସ୍ ସୂଚନା ଅନୁଯାୟୀ ସ୍ଥାନୀୟ ଦେବୀ ନଗରସ୍ଥିତ ମହାବୀର ଜିମ୍ବର ମାଲିକ କପାଳେଶ୍ଵର ଅଞ୍ଚଳର ରାଜେଶ କୁମାର ସାହୁ ଥାନାରେ ଅଭିଯୋଗ କରିଥିଲେଯେ ଅଭିଯୁକ୍ତ ୩ଜଣ ତାଙ୍କ ଜିମ୍ ସେଣ୍ଟରକୁ ଆସି ତାଙ୍କ ପାଖରେ ଏକ ଅଲୌକିକ ଦିବ୍ୟ କଳସ ଥିବା କହିଥିଲେ । ଏହି କଳସ ବିରଳ ଏବଂ ଏହା ଯାହା ପାଖରେ ରହେ ତାର ସର୍ବସିଦ୍ଧି ହୋଇଥାଏ ବୋଲି ରାଜେଶଙ୍କ ବିଶ୍ୱାସ ଜନ୍ମାଇଥିଲେ । ରାଜେଶ ଏଥିରେ ପ୍ରଲୋଭିତ ହୋଇ ସେମାନଙ୍କୁ ନଗଦ ୮୦ ଲକ୍ଷ ଟଙ୍କା ପ୍ରଦାନ କରି କଳସଟିକୁ ସେମାନଙ୍କ ନିକଟରୁ କିଣିଥିଲେ । ପରେ ସେ ନେଇଥିବା ଅଲୌକିକ କଳସଟି କୌଣସି ଚମତ୍କାରୀ କଳସ ନୁହେଁ ବୋଲି ଜାଣିବାକୁ ପାଇଥିଲେ । କଳିସଟି ଏକ ମାଟି କଳସ ଏବଂ ଏହା ଉପରେ ସୁନା ରଙ୍ଗ ଦିଆଯାଇ ଅବିକଳ ସୁନା କଳସ ପରି କରିଦେଇଥିବା ଜଣା ପଡ଼ିଥିଲା । ରାଜେଶଙ୍କ ଠାରୁ ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ନିକଟ ଏକ କମ୍ପାନୀ ପାଖରେ ଅଭିଯୁକ୍ତମାନେ ଅନ୍ୟଏକ ବେପାର ପାଇଁ ଯୋଜନା କରୁଥିବା ଖବର ପାଇ ପୋଲିସ୍ ଉକ୍ତସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ତଦନ୍ତକାରୀ ଅଧିକାରୀ ଯୋଗେଶ କୁମାର ବେଜ ସୂଚନା ଦେଇଛନ୍ତି ।ଏକ କାଚବାକ୍ସ ଭିତରେ ରଖା ଯାଇଥିବା ଆକର୍ଷଣୀୟ ରଙ୍ଗ ପ୍ରଲେପ ଦିଆ ଅନ୍ୟଏକ କଳସକୁ ଅଭିଯୁକ୍ତ ମାନଙ୍କ ନିକଟରୁ ପୋଲିସ୍ ଜବତ କରିଛି ।